ଡିଆଁପଡ଼ା ବୃଦ୍ଧଙ୍କୁ ହତ୍ୟା ଘଟଣା
ନୟାଗଡ଼, (ବାଘୁଆବାର୍ତ୍ତା) : ନୟାଗଡ଼ ଜିଲ୍ଲା ଟାଉନଥାନା ଅନ୍ତର୍ଗତ ଡିଆଁପଡ଼ା ଗ୍ରାମରେ ଗତମାସ ୨ ତାରିଖରେ ଦେଶୀ ମଦ ବେପାରୀଙ୍କୁ ଶିଳରେ ଛେଚି ହତ୍ୟା ଘଟଣାରେ ମଦ ବେପାରୀଙ୍କ ସାନପୁଅ ତଥା ସନ୍ଦିଗ୍ଧ ଅଭିଯୁକ୍ତଙ୍କୁ ପୁଲିସ ଆଜି ଧରିଥିବା ଜଣାଯାଇଛି । ତାଙ୍କୁ ନୟାଗଡ଼ ଅଣାଯିବା ପରେ ତାଙ୍କର କରୋନା ପରୀକ୍ଷା କରାଯାଇଥିବା ବେଳେ ରିର୍ପୋଟ ପଜିଟିଭ୍ ଆସିଥିବା ଜଣାଯାଇଛି । ସୂଚନାନୁସାରେ, ନୟାଗଡ଼ ଟାଉନଥାନା ଅନ୍ତର୍ଗତ ଭାଟସାହି ପଂଚାୟତ ଡିଆଁପଡ଼ା ଗ୍ରାମ ନିକଟରେ ଥିବା ଜଙ୍ଗଲ ପାଖରେ ଉକ୍ତ ଗ୍ରାମର ପ୍ରହଲ୍ଲାଦ ଜେନାଙ୍କୁ ଶୀଳରେ ଛେଚି ହତ୍ୟା କରାଯାଇଥିଲା । ଏହି ଘଟଣାରେ ପୁଲିସ ପ୍ରହଲ୍ଲାଦଙ୍କ ନାବାଳକ ସାନପୁଅଙ୍କ ହାତ ଥିବା ସନ୍ଦେହ କରିଥିଲା । ପୁଲିସ ତାଙ୍କୁ ହେପାଜତକୁ ନେବା ପୂର୍ବରୁ ସେ ପୁଲିସକୁ ଚୂନ ଲଗାଇ ରାଜ୍ୟ ବାହାରକୁ ଫେରାର ହୋଇ ଯାଇଥିଲେ । ସେ ବିଭିନ୍ନ ରାଜ୍ୟ ବୁଲି ବୁଲି ଶେଷରେ ଓଡ଼ିଶା ଫେରିଥିବା ବେଳେ ଆଜି ଟାଉନ ପୁଲିସ ତାଙ୍କୁ ଧରି ଏକ ନୟାଗଡ଼ ଆଣି ତାଙ୍କର କରୋନା ପରୀକ୍ଷା କରାଇଥିବା ଜଣାଯାଇଛି । ପରୀକ୍ଷା ରିର୍ପୋଟ ପଜିଟିଭ୍ ଆସିବା ସହ ତାଙ୍କର ସାମାନ୍ୟ ଲକ୍ଷଣ ଥିବାରୁ ତାଙ୍କୁ ଚିକିତ୍ସା ପାଇଁ ପଠା ଯାଇଥିବା ଟାଉନଥାନା ଅଧିକାରୀ ଜୟଦୀପ ମହାନ୍ତି ସୂଚନା ଦେଇଛନ୍ତି । ସେ ସୁସ୍ଥ ହୋଇ ଫେରିବା ପରେ ପଚରାଉଚରା କରାଯାଇ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସୂଚନା ଦେଇଛନ୍ତି ।






