ନୟାଗଡ଼, (ବାଘୁଆବାର୍ତ୍ତା) : ନୟାଗଡ଼ ଜିଲ୍ଲାରେ କରୋନା ମହାମାରୀ କାୟା ବିସ୍ତାରି ଚାଲିଥିବା ବେଳେ ସ୍ୱାସ୍ଥ୍ୟ ସେବାକୁ ନେଇ ଜିଲ୍ଲାବାସୀ ହନ୍ତସନ୍ତ ହେଉଛନ୍ତି । ଏଭଳି ଭୟାନକ ସ୍ଥିତିରେ ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଜଣେ ଦଲାଲ ରାଜ କରୁଥିବା ଜଣାଯାଇଛି । ଡାକ୍ତରଖାନାକୁ ସ୍ୱାସ୍ଥ୍ୟ ସେବା ତଥା ଅନ୍ୟାନ କାର୍ଯ୍ୟରେ ଆସୁଥିବା ସାଧାରଣଲୋକଙ୍କୁ ଶୋଷଣ କରୁଥିବା ଏହି ଦଲାଲ ଜଣଙ୍କ ଡାକ୍ତରଖାନାର କିଛି କିରାଣୀ ଏବଂ ଉପରିସ୍ଥ ଅଧିକାରୀଙ୍କୁ ହାତ କରି ତାଙ୍କର ଦଲାଲ ରାଜ ଚଳାଇଥିବା ସୂଚନା ମିଳିଛି । କାହାର ଶବ ବ୍ୟବଚ୍ଛେଦ ରିର୍ପୋଟ ବାହାରିକ, କାହାର ଭିନ୍ନକ୍ଷମ ସାର୍ଟିଫକେଟ ହେବ, କାହାର କଣ ଦରକାର ସବୁ ଏହି ଦଲାଲ ଜରିଆରେ କାର୍ଯ୍ୟକ୍ଷମ ହେଉଥିବା ବେଳେ ଏହାର ପ୍ରତିବଦଳରେ ମୋଟା ଅଙ୍କର ମୁନାଫା ପାଇ ନିଜକୁ ସର୍ବେସର୍ବା ଭାବୁଥିବା ଏହି ବ୍ୟକ୍ତି ଜଣଙ୍କ ଏବେ ଏକ ବଡ଼ କେଳେଙ୍କାରୀରେ ସଂପୃକ୍ତ ଥିବା ସୂଚନା ମିଳିଛି । ଡାକ୍ତରଖାନାକୁ ଦଲାଲ ମୁକ୍ତ କରିବା ପାଇଁ ପୂର୍ବତନ ଏସ୍ପି ଶଶୀଭୂଷଣ ଶତପଥୀ ପ୍ରୟାସ କରିଥିବା ବେଳେ ଏବେ ଏହା ଉପରେ ପୁଲିସ ଆଉ ନଜର ଦେଉ ନାହିଁ । ଯାହାର ସୁଯୋଗ ନେଇ ବ୍ୟକ୍ତି ଜଣଙ୍କ ଶୋଷଣ କରି ଲୋକଙ୍କୁ ନୟାନ୍ତ କରି ସାରିଲେଣି । ପଟ୍ଟନାୟକ ନାମଧାରୀ ଏହି ବ୍ୟକ୍ତିଙ୍କ କବଳରୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଏବଂ ସାଧାରଣଲୋକଙ୍କୁ ରକ୍ଷା କରିବା ପାଇଁ ହେଲେ ପୁଲିସ କାର୍ଯ୍ୟାନୁଷ୍ଠାନ ନିହାତୀ ଆବଶ୍ୟକ ବୋଲି ଆଲୋଚନା ହେଉଛି । ନାଗମୁଣ୍ଡୁଳି ଗ୍ରାମର ନାଗ ସଦୃଶ ଏହି ବ୍ୟକ୍ତିଙ୍କ ପାଇଁ ଅନେକ ଲୋକ ତ୍ରାହୀ ତ୍ରାହୀ ଡାକୁଥିବା ବେଳେ ଏହା ପଛରେ ନିଦ୍ଦିଷ୍ଟ ଭାବେ ଜୈନିକ କିରାଣୀ ରଥଙ୍କ ପ୍ରୋତ୍ସାହନ କାର୍ଯ୍ୟକାରୀ ହେଉଥିବା ଜଣାଯାଇଛି । ଏ ରଥ ଏବଂ ପଟ୍ଟନାୟକଙ୍କ ମିଳିଭଗତରେ ଚାଲିଥିବା କେଳେଙ୍କାରୀ ପ୍ରତି ଜିଲ୍ଲାପାଳ ଦୃଷ୍ଟି ଦେବାକୁ ଦାବି ହେଉଛି ।






