ସାମ୍ବାଦିକଙ୍କୁ ବୈଠକକୁ ଡାକି ହଟହଟା କରିବା ଘଟଣା
ନୟାଗଡ଼, (ବାଘୁଆବାର୍ତ୍ତା): ବୁଧବାର ଜିଲ୍ଲା ପରିଷଦ ସପ୍ତମ ସାଧାରଣ ଅଧିବେଶନ ଏବଂ ଯୋଜନା କମିଟି ବୈଠକ ବସିଥିବା ବେଳେ ସାମ୍ବାଦିକକୁ ସୂଚନା ଓ ଲୋକ ସଂମ୍ପର୍କ ବିଭାଗ ପକ୍ଷରୁ ଡକାଯାଇ ଫେରାଇ ଆଣିବା ଘଟଣାକୁ ଜିଲ୍ଲା କଂଗ୍ରେସ ସମାଲୋଚନା କରିଛି । ଏହି ଘଟଣାର ଖବର ଆଜି ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ ପାଇବା ପରେ ଜିଲ୍ଲା କଂଗ୍ରେସ ପକ୍ଷରୁ ଏହା କେଉଁ ପ୍ରକାରର ଅନୁଶାସନ ବୋଲି କଂଗ୍ରେସ ପ୍ରାକ୍ତନ ସଭାପତି ରଣଜିତ ଦାଶ ପ୍ରେସ ଇସ୍ତାହାର ମାଧ୍ୟମରେ ଜିଲ୍ଲାପାଳଙ୍କୁ ପ୍ରଶ୍ନ କରିଛନ୍ତି । ସରକାରୀ କାର୍ଯ୍ୟକ୍ରମ ତଥା ବୈଠକରେ ଗଣମାଧ୍ୟମର ଉପସ୍ଥିତି ଜିଲ୍ଲା ପ୍ରଶାସନ ମଧ୍ୟରେ ଭୟ ସୃଷ୍ଟି କରୁଛି ବୋଲି ସେ ପ୍ରଶ୍ନ କରିଛନ୍ତି । ଜିଲ୍ଲା ପରିଷଦ ବୈଠକ ଓ ଯୋଜନା ବୋର୍ଡ଼ ବୈଠକ ଭଳି ଗୁରୁତ୍ୱପୂର୍ଣ୍ଣ ବୈଠକରେ କାହିଁକି ଗଣମାଧ୍ୟମକୁ ଅଣଦେଖା କରାଯାଇଛି ବୋଲି କଂଗ୍ରେସ ନେତା ହୁସେନ ଖାଁ, ମନୋଜ କୁମାର ସାହୁ, ଶୁଭଶ୍ରୀ ପଣ୍ଡା, କମଳ ଚରଣ ସାହୁ ଏବଂ ଫକିର ଚରଣ ମଲ୍ଲ ପ୍ରମୂଖ ଉଦବେଗ ପ୍ରକାଶ କରିବା ସହ ଏହାକୁ ନିନ୍ଦା କରିଛନ୍ତି । ଏଠାରେ ପ୍ରକାଶ ଯୋଗ୍ୟ ଯେ, ଜିଲ୍ଲା ପ୍ରଶାସନର ଗୁରୁଦାୟିତ୍ୱ ବହନ କରୁଥିବା କିଛି ଅଧିକାରୀ ବିଭିନ୍ନ ସମୟ ଓ ଅସମୟରେ ଗଣମାଧ୍ୟମର ଫୋନ ମଧ୍ୟ ଗ୍ରହଣ କରୁନଥିବା ଜଣାପଡ଼ିଛି ।






