ନୟାଗଡ଼଼, (ବାଘୁଆବାର୍ତ୍ତା) : ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ମାଟ୍ରିକ ପରୀକ୍ଷା ଫଳ ବୁଧବାର ପ୍ରକାଶ ପାଇଛି । ଜିଲ୍ଲାରେ ପାଶ ହାର ୮୬.୬୩ ପ୍ରତିଶତ ରହିଥିବା ଜଣାପଡ଼ିଛି । ଜିଲ୍ଲାରେ ୨୩୩ଟି ଉଚ୍ଚ ବିଦ୍ୟାଳୟର ୧୨ ହଜାର ୫୦୭ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବା ବେଳେ ସେଥିମଧ୍ୟରୁ ୧୨୪୯୧ ପରୀକ୍ଷାର୍ଥୀଙ୍କ ପରୀକ୍ଷା ଫଳ ଆଜି ପ୍ରକାଶ ପାଇଛି । ଜିଲ୍ଲାରେ ମୋଟ ୧୦ ହଜାର ୮୩୫ ଜଣ ଛାତ୍ରଛାତ୍ରୀ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଛନ୍ତି । ଜିଲ୍ଲାରେ ୫୯ ଜଣ ଏ୧ ଛାତ୍ରାଛତ୍ରୀଙ୍କ ମଧ୍ୟରୁ ୧୨ ଜଣ ଛାତ୍ରଛାତ୍ରୀ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ହୋଇଥିବା ବେଳେ ୪୭ ଜଣ ଅନ୍ୟ ବିଦ୍ୟାଳୟରେ ପାଠ ପଢ଼ୁଥିବା ଜଣାପଡ଼ିଛି । ସେମାନଙ୍କ ମଧ୍ୟରେ ଓଡ଼ଗାଁ ରାଧାକାନ୍ତ ବାଳିକା ଉଚ୍ଚ ବିଦ୍ୟାଳୟର ଛାତ୍ରୀ ପ୍ରଜ୍ଞାରାଣୀ ମହାପାତ୍ର ସର୍ବଧିକ ୫୭୧ ନମ୍ବର ରଖି ଜିଲ୍ଲା ଟପ୍ପର ହୋଇଥିବା ଜଣାଯାଇଛି । ଓଡ଼ଗାଁ ଏନ୍ଏସି ଅନ୍ତର୍ଗତ ବିଜୟମଣ୍ଡପ ସାହି ବାସିନ୍ଦା ପ୍ରତାପ ମହାପାତ୍ର ମାତା ସଶ୍ମିତା ମହାପାତ୍ରଙ୍କ କନ୍ୟା ପ୍ରଜ୍ଞା ଭବିଷ୍ୟତରେ ସିଭିଲ ପରୀକ୍ଷା ପାଇଁ ପ୍ରସ୍ତୁତ ହେବେ ବୋଲି କହିଛନ୍ତି । ଆଜିର ସଫଳତାର ଶ୍ରେୟ ସେ ଶିକ୍ଷକ ଏବଂ ଅଭିଭାବକଙ୍କୁ ଦେଇଛନ୍ତି । ସେହିଭଳି ଦଶପଲ୍ଲା ଉଚ୍ଚ ବିଦ୍ୟାଳୟର ମାନମୟୀ ବେହେରା ୫୭୦ ନମ୍ବର ରଖି ଜିଲ୍ଲାରେ ଦ୍ୱିତୀୟ ସ୍ଥାନରେ ରହିଥିବା ଜଣାଯାଇଛି । ଓଡ଼ଗାଁ ରାଧାକାନ୍ତ ବାଳିକା ଉଚ୍ଚ ବିଦ୍ୟାଳୟର ଛାତ୍ରୀ ମେଘନା ପ୍ରିୟଦର୍ଶନୀ ୫୬୯ ନମ୍ବର ରଖି ଜିଲ୍ଲାରେ ତୃତୀୟ ସ୍ଥାନରେ ରହିଥିବା ଜଣାଯାଇଛି ।






