ନୟାଗଡ଼, (ବାଘୁଆବାର୍ତ୍ତା): ନୟାଗଡ଼ ସହରରେ ଗତକାଲି ରାତିରେ ଘଟିଛି ଏକ ଅଭାବନୀୟ ଘଟଣା । ସଟ୍ଡାଉନ୍ ସୁଯୋଗ ନେଇ ଲୁଟେରାମାନେ ଚକ୍ମା ସୃଷ୍ଟି କରିଥିବା ଜଣାଯାଇଛି । ସୂଚନାନୁସାରେ, ଗତ ୯ ତାରିଖରେ ନୟାଗଡ଼ ପୈାର ପରିଷଦ ଅନ୍ତର୍ଗତ ସାଇ ବିହାରରୁ ଜଣେ ବୟସ୍କ ବ୍ୟକ୍ତି କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ଯାହାକୁ ନେଇ ତାଙ୍କ ପରିବାରର ପୁଅ, ବୋହୁ ଏବଂ ଅରବିନ୍ଦ ନଗରରେ ରହୁଥିବା ଝିଅ, ଜ୍ୱାଇଁ, ନାତିଙ୍କ ସ୍ୱାବ ସଂଗ୍ରହ କରାଯାଇଥିଲା । ଗତକାଲି ତାଙ୍କ ଜ୍ୱାଇଁ ଏବଂ ୬ ବର୍ଷିୟ ନାତିଙ୍କ ପଜେଟିଭ୍ ଆସିବା ପରେ ତାଙ୍କୁ କୋଭିଡ୍ ହସ୍ପିଟାଲ ସ୍ଥାନାନ୍ତରିତ କରାଯାଇଥିଲା । ଫଳରେ ତାଙ୍କ ଘରେ ତାଲା ପଡ଼ିଥିବାରୁ ସୁଯୋଗ ନେଇ କିଛି ଦୁର୍ବୁତ୍ତ ଲୁଟ୍ ଉଦ୍ୟମ କରିଥିବା ଜଣାଯାଇଛି । ଏଥିସହିତ ବାରମାସି ଦଣ୍ଡା ଇନ୍ସଫାୟାର କଲେଜ ସାମନା ଗଳିରେ ଜଣେ ପୁଲିସ କର୍ମଚାରୀଙ୍କ ଘର ଉପର ମହଲାରୁ ଏକ ମୋବାଇଲ ଲୁଟ ହୋଇଛି । ଏହି ସାହିର ଅନ୍ୟ ଜଣଙ୍କ ଘରୁ ଦୁର୍ବୁତ୍ତମାନେ ପାଣି ମଟର ଏବଂ ଅନ୍ୟ କିଛି ବୈଦ୍ୟୁତିକ ସାମଗ୍ରୀ ଲୁଟ କରିଥିବା ଜଣାଯାଇଛି । ଏଥିସହିତ ବାରମାସୀ ଦଣ୍ଡା, ଅରବିନ୍ଦ ନଗର ଏବଂ ସାଇନଗରରେ ଗତକାଲି ଲୁଟେରାମାନେ ରାତି ତମାମ୍ ବିଭିନ୍ନ ଲୋକଙ୍କ ଘରୁ ଲୁଟ ଉଦ୍ୟମ କରିଥିବା ଜଣାଯାଇଛି । ଅନ୍ୟପକ୍ଷେ, ଅରବିନ୍ଦ ନଗର ଓ ସାଇନଗରରୁ କରୋନା ଆକ୍ରାନ୍ତ ଚିହ୍ନଟ ହେବା ଏବଂ ଲୁଟ ଉଦ୍ୟମ ହେବାକୁ ନେଇ ଉକ୍ତ ଅଚଂଳ ବାସୀଙ୍କ ମନରେ ଭୟ ସୃଷ୍ଟି ହୋଇଛି । ଏହି ଅଂଚଳକୁ ବିଶୋଧନ କରାଯିବା ସହ ପୁଲିସ ସୁରକ୍ଷା ଯୋଗାଇ ଦେବାକୁ ଦାବି ହୋଇଛି ।






