ନୟାଗଡ଼, (ବାଘୁଆବାର୍ତ୍ତା): ନୟାଗଡ଼ ଜିଲ୍ଲାର ବିଭିନ୍ନ ସ୍ଥାନରୁ ୨୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଓଡ଼ଗାଁ ବ୍ଲକ କୁରାଳ ୮ ଜଣ, ସୁନାମୁହିଁ ପଂଚାୟତରୁ ୧୨, ରଣପୁର ବ୍ଲକ କନ୍ଧ ନୟାଗଡ଼ ସଂଗରୋଧରୁ ୨ ଜଣ ଏବଂ ଦଶପଲ୍ଲା ବ୍ଲକ ମଧ୍ୟଖଣ୍ଡରୁ ଜଣେ ହେଲଥ୍ ୱାର୍କର କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କୁରାଳର ଗୋଟିଏ ପରିବାରରୁ ୭ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୩ ଜଣ ଶିଶୁ ରହିଛନ୍ତି । ଏହି ପଂଚାୟତରୁ ଅନ୍ୟ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସେ ପୁରୀ ଜିଲ୍ଲାର ବୋଲି ଜଣାଯାଇଛି । ସେହିଭଳି ସୁନାମୁହିଁ ପଂଚାୟତରୁ ୧୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ଜଣାଯାଇଛି । ଏମାନଙ୍କ ମଧ୍ୟରେ ୭ ଜଣ ପୁରୁଷ ଏବଂ ୫ ଜଣ ମହିଳା ଥିବା ବେଳେ ସେମାନଙ୍କ ମଧ୍ୟରେ ୨ ଜଣ ଶିଶୁ ରହିଥିବା ସୁନାମୁହିଁ ସରପଂଚ ମାନସ କୁମାର ସାହୁ ସୂଚନା ଦେଇଛନ୍ତି । ଚିହ୍ନଟ ହୋଇଥିବା ୧୨ ଜଣ ଆକ୍ରାନ୍ତଙ୍କ ମଧ୍ୟରେ କିଛିଦିନ ତଳେ ଥଣ୍ଡା ଜ୍ୱର ଆକ୍ରାନ୍ତ ହୋଇ ଅଚାନକ ମୃତ୍ୟୁ ବରଣ କରିଥିବା ବ୍ୟବସାୟୀଙ୍କ ପରିବାରରୁ ୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଯାହାକୁ ନେଇ ଉକ୍ତ ବ୍ୟକ୍ତିଙ୍କ କରୋନା କାରଣରୁ ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଛି । କୁରାଳ ଓ ସୁନାମୁହିଁରୁ କିଛି ଦିନ ଭିତରେ ଏତେ ସଂଖ୍ୟକ ସ୍ଥାନୀୟ ମାମଲା ସାମନାକୁ ଆସିଥିବାରୁ ଏଠାରେ ଗୋଷ୍ଠୀ ସଂକ୍ରମଣ ଆରମ୍ଭ ହୋଇଥିବା ସନ୍ଦେହ କରାଯାଉଛି । ଅନ୍ୟପକ୍ଷେ, ଜିଲ୍ଲାକୁ ଏବେ ଗଞ୍ଜାମ ଜିଲ୍ଲା ବିପଦ ହେବା ନିଶ୍ଚିତ ହେଉଛି । ଗଞ୍ଜାମ ଜିଲ୍ଲା ସଟ୍ଡାଉନ୍ ସୁଯୋଗ ନେଇ ଓଡ଼ଗାଁ ସୀମାବର୍ତ୍ତୀ ଅଂଚଳରୁ ଶତାଧିକ ଗ୍ରାମାଞ୍ଚଳ ବ୍ୟବସାୟୀ ପ୍ରତ୍ୟେକ ଦିନ ଗଞ୍ଜାମ ଜିଲ୍ଲାକୁ ଯାଇ ବ୍ୟବସାୟ କରି ଫେରୁଛନ୍ତି । ଜିଲ୍ଲାର ସବୁଠାରୁ ଅଧିକ ଆକ୍ରାନ୍ତ ଓଡ଼ଗାଁରୁ ଚିହ୍ନଟ ହୋଇଥିବା ବେଳେ ଗଂଞ୍ଜାମ ଜିଲ୍ଲାରେ କରୋନା ବ୍ୟାପକତା ଲୋକଙ୍କ ମନରେ ଭୟ ସୃଷ୍ଟି କରିଛି । ଏଣୁ ଓଡ଼ଗାଁ ସୀମାନ୍ତ ଗ୍ରାମ ଗୁଡ଼ିକରେ ଥିବା ଜିଲ୍ଲା ସୀମା ସିଲ କରାଯିବା ସହ ଗଞ୍ଜଞ୍ଜାମ ଜିଲ୍ଲାକୁ ଯାତାୟତ ବିଚ୍ଛିନ୍ନ କରିବାକୁ ଦାବି ହେଉଛି । ଗଞ୍ଜାମ ଜିଲ୍ଲାରୁ ଓଡ଼ଗାଁ ଅଂଚଳକୁ ଲୋକଙ୍କ ଯାତାୟତ ସର୍ବଦା ରହୁଥିବାରୁ ସ୍ଥାନୀୟ ଲୋକଙ୍କ ମନରେ ଅସନ୍ତୋଷ ସୃଷ୍ଟି ହୋଇଛି ।





