ନୟାଗଡ଼, (ବାଘୁଆବାର୍ତ୍ତା): ଖଣ୍ଡପଡ଼ା ଠାରେ ବିଦ୍ୟୁତ ଗ୍ରୀଡ୍ ପ୍ରକଳ୍ପ ପ୍ରତିଷ୍ଠା ନିମନ୍ତେ ବ୍ଳକ ଅଧ୍ୟକ୍ଷ ମନୋଜ କୁମାର ପ୍ରଧାନଙ୍କ ନେତୃତରେ ଏକ ପ୍ରତିନିଧି ଦଳ ଶୁକ୍ରବାର ଦିନ ନୟାଗଡ଼ ଉପଜିଲ୍ଲାପାଳ ଲଗ୍ନଜିତ ରାଉତଙ୍କୁ ଭେଟି ଏ ସମ୍ପର୍କରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିବା ଜଣାଯାଇଛି । ବିଦ୍ୟୁତ ଗ୍ରୀଡ୍ ପ୍ରକଳ୍ପ ପ୍ରତିଷ୍ଠା ନିମନ୍ତେ ଖଣ୍ଡପଡା ବ୍ଲକର ଶାଳଝରିଆ ପଚାଂୟତ ଅଧିନ କଇଁଥପଲ୍ଲୀ ମୈାଜାରେ ତହସିଲ ପ୍ରଶାସନ ପକ୍ଷରୁ ୧୫ ଏକରରୁ ଉର୍ଦ୍ଦ ସରକାରୀ ଜାଗା ଚିହ୍ନଟ କରାଯାଇଥିବା ବେଳେ ପ୍ରସ୍ତାବିତ ସ୍ଥାନଟି ଉପଯୁକ୍ତ ସ୍ଥାନ ଅଟେ ବୋଲି ପ୍ରତିନିଧିଦଳ ଉପଜିଲ୍ଲାପାଳଙ୍କୁ ସୂଚନା ପ୍ରଦାନ କରିଥିଲେ । ତେଣୁ ଉକ୍ତ ସ୍ଥାନରେ ତୁରନ୍ତ ପ୍ରକଳ୍ପ କାର୍ଯ୍ୟ ଆରମ୍ଭ କରିବାକୁ ପ୍ରତିନିଧିଦଳ ଦାବି ଉପସ୍ଥାପନ କରିଥିଲେ । ବିଦ୍ୟୁତ୍ ଗ୍ରୀଡ ପ୍ରକଳ୍ପ ପ୍ରତିଷ୍ଠାର ଆବଶ୍ୟକତା ସମ୍ପର୍କରେ ପ୍ରତିନିଧି ଦଳ ଆଲୋଚନା କରିଥିବାବେଳେ ଆସନ୍ତା ୭ ଦିନ ମଧ୍ୟରେ ଖଣ୍ଡପଡ଼ା ତହସିଲ ପ୍ରଶାସନ ଏ ସମ୍ପର୍କୀତ ରିପୋର୍ଟ ପ୍ରଦାନ କରିବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଥିବା ନେଇ ଉପଜିଲ୍ଲାପାଳ ସୂଚନା ଦେଇଥିଲେ । ଦୀର୍ଘ ୨ବର୍ଷ ପରେ ଜିଲ୍ଲାପ୍ରଶାସନ ପକ୍ଷରୁ ନୂତନ ବିଦ୍ୟୁତ ଗ୍ରୀଡ ପ୍ରକଳ୍ପ ପ୍ରତିଷ୍ଠା ନେଇ ତତ୍ପରତା ପ୍ରକାଶ ପାଇଥିବାରୁ ଖଣ୍ଡପଡ଼ା ନିର୍ବାଚନମଣ୍ଡଳୀବାସୀଙ୍କ ମଧ୍ୟରେ ଆନନ୍ଦ ପ୍ରକାଶ ପାଇବା ସହ ନୂତନ ଆଶା ସଂଚାର ହୋଇଥିବା ଜଣାପଡିଛି ।





