ନୟାଗଡ, (ବାଘୁଆବାର୍ତ୍ତା) : ନୟାଗଡ଼ ଜିଲ୍ଲା ଖଣ୍ଡପଡ଼ା ସହରର ଉପକଣ୍ଠରେ ଅବସ୍ଥିତ ସରକାରୀ ଡ଼ାକବଙ୍ଗଳାରୁ ଦୁବୃର୍ତମାନେ ବହୁ ମୂଲ୍ୟବାନ ସାମଗ୍ରୀ ଚୋରୀ କରିନେଇଥିବା ଜଣାପଡିଛି । ଉକ୍ତ ବଙ୍ଗଳାଟି ଅବ୍ୟବହୃତ ଅବସ୍ଥାରେ ପଡ଼ି ରହିଥିବାର ସୁଯୋଗ ନେଇ ଦୁବୃର୍ତମାନେ ବିଳମ୍ବିତ ରାତିରେ ଲୁହା ଗ୍ରୀଲ ଓ ଲୁହା କବାଟ ସବୁ ଚୋରୀ କରି ନେଇଛନ୍ତି । ଚୋରୀଯାଇଥିବା ସାମଗ୍ରୀର ମୂଲ୍ୟ ୫ ଲକ୍ଷ ଟଙ୍କାରୁ ଉର୍ଦ୍ଧ ହେବ ବୋଲି ଅନୁମାନ କରାଯାଉଛି । ରାଜରାଜୁଡ଼ା ଅମଳରେ ନିର୍ମିତ ଏହି ଡାକବଙ୍ଗଳାଟିର ବର୍ତମାନ ଦୟନୀୟ ଅବସ୍ଥାରେ ରହିଛି । ଏକଦା ଉକ୍ତ ଡ଼ାକବଙ୍ଗଳାରେ ରାଜପରିବାରର ସଦସ୍ୟଙ୍କ ଠାରୁ ଆରମ୍ଭ କରି ବରିଷ୍ଠ ପ୍ରଶାସନନିକ ଅଧିକାରୀ ଓ ପର୍ଯ୍ୟଟକମାନେ ଏଠାରେ ରହୁଥିଲେ । ଖଣ୍ଡପଡା-ନୟାଗଡ଼ ପୂର୍ତବିଭାଗ ରାସ୍ତା ପାଶ୍ୱର୍ସ୍ଥ ପ୍ରାକୃତିକ ପରିବେଶ ମଧ୍ୟରେ ଅବସ୍ଥିତ ଏହି ଡ଼ାକବଙ୍ଗଳାଟିର ରକ୍ଷଣାବେକ୍ଷଣ ନିମନ୍ତେ ବିଭିନ୍ନ ସମୟରେ ଲକ୍ଷଲକ୍ଷ ଟଙ୍କା ବ୍ୟୟ ହୋଇଥିବା ପ୍ରଶାସନ ସୁତ୍ରରୁ ଜଣାପଡିଛି । ସୂଚନାଯୋଗ୍ୟ ଡ଼ାକବଙ୍ଗଳାରେ ଖଣ୍ଡପଡ଼ା ସଦର ରାଜସ୍ୱ ନୀରିକ୍ଷକ ଓ ବାଘୁଆପଲ୍ଲୀ ରାଜସ୍ୱ ନୀରିକ୍ଷକଙ୍କ କାର୍ଯ୍ୟାଳୟ ଦୀର୍ଘ ବର୍ଷଧରି ଚାଲିଥିବା ସମୟରେ ପ୍ରଶାସନ ପକ୍ଷରୁ ଲକ୍ଷାଧିକ ଟଙ୍କା ବ୍ୟୟରେ ବଙ୍ଗଳାଟିର ପୁନଃରୁଦ୍ଧାର କାର୍ଯ୍ୟ କରାଯାଇଥିଲା । ମାତ୍ର ପରବର୍ତୀ ସମୟରେ ଉକ୍ତ ୨ଟି କାର୍ଯ୍ୟାଳୟ ନିଜସ୍ୱ କାର୍ଯ୍ୟାଳୟକୁ ଚାଲିଯିବା ପରେ ଉକ୍ତ ବଙ୍ଗଳାଟିକୁ ତହସିଲ କର୍ତୃପକ୍ଷ ତାଲା ପକାଇ ଦେଇଥିଲେ । ଏହାର ସୁଯୋଗ ନେଇ ଦୁବୃର୍ତମାନେ ବଙ୍ଗଳା ଉପରେ ଲୋଲୁପ ଦୃଷ୍ଟିପକାଇ ମୂଲ୍ୟବାନ ସାମଗ୍ରୀ ସବୁ ଲୁଟପାଟ କରିଥିବା ଅଭିଯୋଗ ହେଉଛି । ଏହି ବଙ୍ଗଳାଟି ପ୍ରତି ସ୍ଥାନୀୟ ପ୍ରଶାସନ ଓ ଜିଲ୍ଲା ପ୍ରଶାସନ ଦୃଷ୍ଟିଦେବାକୁ ଦାବିହେଉଛି ।






