ନୟାଗଡ଼, (ବାଘୁଆବାର୍ତ୍ତା): ନୟାଗଡ଼ ସହରରେ ଆଜି ବଡ଼ ଧରଣର ଜବରଦଖଲ ଉଚ୍ଛେଦ କରାଯାଇଛି । ପାହାଡ଼କୁ ସଫା କରି ନିର୍ମାଣ କରାଯାଇଥିବା ୧୧ଟି ବାସଗୃହ ସମେତ ଆରଏମ୍ସି ପ୍ରସ୍ତାବିତ ସ୍ଥାନରେ ନିର୍ମାଣ ହୋଇଥିବା ଏଲଆଇସି ଏଜେଣ୍ଟ ଆସୋସିଏସନ ଗୃହକୁ ଭାଙ୍ଗି ମାଟିରେ ମିଶାଇ ଦିଆଯାଇଛି । ଜବରଦଖଲ କରାଯାଇଥିବା ମୋଟ ୧୨ଟି ଗୃହକୁ ନୟାଗଡ଼ ତହସିଲଦାର ଭିକାରୀ ସାହୁ, ପୈାର ନିର୍ବାହୀ ଅଧିକାରୀ ସନ୍ତୋଷ କୁମାର ଜେନାଙ୍କ ଉପସ୍ଥିତିରେ ଉଚ୍ଛେଦ କରାଯାଇଥିବା ବେଳେ ଏଥିରେ ପୈାର କର୍ମଚାରୀମାନେ ମଧ୍ୟ ସହଯୋଗ କରିଛନ୍ତି । ଏଲ୍ଆଇସି କାର୍ଯ୍ୟାଳୟ ପଛ ପାଖରେ ତଥା ବରିଷ୍ଠ ନାଗରିକ ଗୋଷ୍ଠୀ କେନ୍ଦ୍ର ନିକଟରେ ଥିବା ଏକ ସ୍ଥାନକୁ ଏବେ ଏଲଆଇସି ଏଜେଣ୍ଟ ଆସୋସିଏନ ନାମରେ କବଜା କରାଯାଇଥିଲା । ଏନେଇ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶ ପାଇବା ପରେ ପ୍ରଶାସନ ପକ୍ଷରୁ ତତ୍ପରତା ପ୍ରକାଶ ପାଇବା ସହ ଆଜି ଜବରଦଖଲ ଉଚ୍ଛେଦ କରାଯାଇଛି । ଏଥିପାଇଁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା ।







