ନୟାଗଡ଼, (ବାଘୁଆବାର୍ତ୍ତା) : ବିଦ୍ୟୁତ୍ ବିଭାଗର ଅପାରଗତା ପାଇଁ ଗୋଟିଏ ପରେ ଗୋଟିଏ ଜୀବନ ଯାଉଥିବା ବେଳେ ବିଦ୍ୟୁତ୍ ବିଭାଗ ଜାଣି ଅଜଣା ସାଜିଛି । ବିପଦ ସଂକୁଳ ଅବସ୍ଥାରେ ରହିଥିବା ଖୁଣ୍ଟ, ଟ୍ରାନ୍ସଫର୍ମର ଏବଂ ତାରକୁ ବିଭାଗ ନସଜାଡ଼ିବା ଏହାର କାରଣ ପାଲଟିଛି । ଯାହାକୁ ନେଇ ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଲକ ଅନ୍ତର୍ଗତ ଉଦୟପୁର ପଂଚାୟତ ଜୟପଲ୍ଲୀରେ ଆଜି ଏକ ଅଭାବନୀୟ ଘଟଣା ଘଟିଛି । ବିଦ୍ୟୁତ୍ କରେଣ୍ଟା ଲାଗି ଗ୍ରାମର ଜଣେ ଯୁବକଙ୍କ ମୃତ୍ୟୁ ଘଟଣାକୁ ନେଇ ଆଜି ଗ୍ରାମବାସୀ ଲାଇନ୍ସ ମ୍ୟାନ ଏବଂ ହେଲ୍ପର୍ଙ୍କୁ ଦୀର୍ଘ ୪ ଘଣ୍ଟା ଅଟକ ରଖିଛନ୍ତି । ସୂଚନାନୁସାରେ, ଚାରି ଦିନ ତଳେ ଜୟପଲ୍ଲୀ ଗ୍ରାମର ବିଦ୍ୟୁତ୍ ଟ୍ରାନ୍ସଫର୍ମର ସାମନାରେ ଘର କରିଥିବା ଜଣେ ଯୁବକ ଟ୍ରାନ୍ସଫର୍ମର ପାଖରେ ଗାଇ ବାନ୍ଧୁଥିବା ବେଳେ ତାଙ୍କୁ କରେଣ୍ଟ ଲାଗିଥିଲା । ଏହି ଯୁବକ ଜଣଙ୍କ ହେଲେ ଉକ୍ତ ଗ୍ରାମର ଅଜୟ ପାତ୍ରଙ୍କ ପୁଅ ଦିଲ୍ଲିପ ପାତ୍ର । ସ୍ଥାନୀୟ ଲୋକେ ଟ୍ରାନ୍ସଫର୍ମର ହାଣ୍ଡେଲ ପକାଇଥିଲେ ମଧ୍ୟ ତାହା କାମ କରିନଥିଲା । ବିଦ୍ୟୁତ୍ କର୍ମଚାରୀମାନେ ହ୍ୟାଣ୍ଡେଲ୍କୁ ବାଦ ଦେଇ ବିଦ୍ୟୁତ୍ ସରବରାହ୍ ଦେଇଥିବାରୁ ସମସ୍ୟା ସୃଷ୍ଟି ହୋଇଥିଲା । ଫଳରେ ଯୁବକଙ୍କୁ ଗ୍ରାମବାସୀ ଗୁରତର ଅବସ୍ଥାରେ ଡାକ୍ତରଖାନା ନେଇଥିବା ବେଳେ ତାଙ୍କର ମୃତ୍ୟୁ ଘଟିଥିଲା । ଯାହାକୁ ନେଇ ଗ୍ରାମବାସୀଙ୍କ ମଧ୍ୟରେ ଉତ୍ତେଜନା ଗୁମୁରି ଗୁମୁରି ରହିଥିବା ବେଳେ ଆଜି ଗ୍ରାମକୁ ବିଦ୍ୟୁତ୍ ବିଭାଗ ଲାଇନ୍ସ ମ୍ୟାନ ସୂର୍ଯ୍ୟ ରଂଜନ ସାହୁ ଏବଂ ହେଲ୍ପର୍ ମମ୍ମଥ ପାଣି କୈାଣସି କାମରେ ଯାଇଥିଲେ । ଏହା ଜାଣିପାରି ଗ୍ରାମବାସୀ ଉଭୟ କର୍ମଚାରୀଙ୍କୁ ଦୀର୍ଘ ୪ ଘଣ୍ଟା କାଳ ଗ୍ରାମରେ ଅଟକ ରଖିଥିଲେ । ଏନେଇ ବିଦ୍ୟୁତ୍ ବିଭାଗ କର୍ମଚାରୀ ଖବରପାଇ ଥିଲେ ମଧ୍ୟ ଉଭୟ କର୍ମଚାରୀଙ୍କୁ ଉଦ୍ଧାର କରିବାକୁ ଘଟଣାସ୍ଥଳକୁ ଯାଇନଥିଲେ । ଗ୍ରାମବାସୀ କ୍ଷତିପୂରଣ ଦାବିରେ ଏଭଳି କରିଥିଲେ ମଧ୍ୟ ବିଳମ୍ବିତ ସମୟରେ ଦୁଇ କର୍ମଚାରୀଙ୍କୁ ଛାଡ଼ି ଦେଇଥିବା ଜଣାଯାଇଛି ।






