ନୟାଗଡ଼, (ବାଘୁଆବାର୍ତ୍ତା) : ନୟାଗଡ଼ ଜିଲ୍ଲାରେ ୨୭୧ କରୋନା ଆକ୍ରାନ୍ତ ଚିହ୍ନଟ ହୋଇ ସାରିଥିବା ବେଳେ କେବଳ ଓଡ଼ଗାଁ ବ୍ଲକରୁ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୧୦୫ ବୋଲି ଜଣାଯାଇଛି । ଏହି ୧୦୫ ଜଣଙ୍କ ମଧ୍ୟରୁ ଅନେକ ସ୍ଥାନୀୟ ସଂକ୍ରମଣ ବୋଲି ଚିହ୍ନଟ ହୋଇଥିବା ବେଳେ ପ୍ରାୟତଃ ଗଞ୍ଜାମ ଲିଙ୍କ ବୋଲି ଜଣାଯାଇଛି । ଓଡ଼ଗାଁ ବ୍ଲକର କୁରାଳ, କୋମଣ୍ଡ, ରୋହିବାଙ୍କ ଏବଂ ସୁନାମୁହିଁ ପଂଚାୟତର ଶତାଧିକ ବ୍ୟବସାୟୀ ପ୍ରତ୍ୟେକ ଦିନ ଗଞ୍ଜାମ ଯାଇ କରୋନା ଆକ୍ରାନ୍ତ ହେଉଥିବା ନେଇ ଜଣାପଡ଼ିବା ପରେ ପ୍ରଶାସନ ପକ୍ଷରୁ ନୟାଗଡ଼ ଗଞ୍ଜାମ ରାସ୍ତାକୁ ସିଲ୍ କରାଯାଇଛି । ମାତ୍ର ସୀମାରେ ରହିଥିବା ଏକାଧିକ ଗଳାବାଟ ଏବେ ଚିନ୍ତା ବଢ଼ାଇବାର ଆଶଙ୍କା ସୃଷ୍ଟି କରିଛି । ଗଞ୍ଜାମ ଲିଙ୍କ ନୟାଗଡ଼କୁ ବିପଦ ଆଡ଼କୁ ଟାଣି ନେଉଥିବା ଆଲୋଚନା ହେଉଛି । କାରଣ ପୁଲିସ ବିଭାଗରୁ ୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଏହା ଗଞ୍ଜାମ ଲିଙ୍କ ବୋଲି ଜଣାଯାଇଛି । ଆକ୍ରାନ୍ତଙ୍କ ମଧ୍ୟରୁ ଜଣେ ଡାକ ନେଇ ଗଞ୍ଜାମ ଯାଇଥିବା ବେଳେ ସେଠାରୁ ଫେରି ଅନ୍ୟମାନଙ୍କ ସହ ମିଶିବା ପରେ ୪ ଜଣ କରୋନା ଆକ୍ରାନ୍ତ ହୋଇଥିବା ସୂଚନା ମିଳିଛି । ସେହିଭଳି ଓଡ଼ଗାଁ ଅଂଚଳରୁ ଚିହ୍ନଟ ହୋଇଥିବା ଅନେକ ଆକ୍ରାନ୍ତ ଗଞ୍ଜାମ ଲିଙ୍କ ଏବେ ସାମନାକୁ ଆସୁଛି । ଯାହାକୁ ନେଇ ଜିଲ୍ଲାରେ କରୋନା ବିପଦ ଆଗକୁ ଘନିଭୂତ ହେବାର ସମ୍ଭାବନା ଥିବାରୁ ଗଞ୍ଜାମ ସୀମାକୁ ସଂମ୍ପୂର୍ଣ୍ଣ ଭାବରେ ସିଲ୍ କରିବା ନେଇ ଦାବି ଉଠୁଛି । ନୟାଗଡ଼ ଗଞ୍ଜାମ ମଧ୍ୟରେ ଥିବା ୫ରୁ ଉର୍ଦ୍ଧ୍ୱ ରାସ୍ତାକୁ ସିଲ୍ କରାଯାଇଥିବା ବେଳେ ଏବେବି ଅନେକ ଗଳାବାଟ ଯା ଆସ କରିବାର ମାଧ୍ୟମ ସାଜିଛି ।





