ନୟାଗଡ଼, (ବାଘୁଆବାର୍ତ୍ତା) : ଆଜି ନୟାଗଡ଼ ଜିଲ୍ଲା ଗଣିଆ ବ୍ଲକ କରଡ଼ାପଡ଼ା ପଞ୍ଚାୟତ ସରପଞ୍ଚଙ୍କ ବିରୁଦ୍ଧରେ ହେବାକୁ ଥିବା ଅନସ୍ଥା ବୈଠକ ଶେଷ ମୂହୂର୍ତ୍ତରେ ସ୍ଥଗିତ ରଖାଯାଇଛି । ପ୍ରିଜାଇଡିଂ ଅଧିକାରୀ ସ୍ୱାବ ଟେଷ୍ଟ ପାଇଁ ଦେଇଥିବାରୁ ଏହାକୁ ସ୍ଥଗିତ କରାଯାଇଥିବା ଜଣାଯାଇଛି । ସୂଚନାନୁସାରେ, ସରପଞ୍ଚପ୍ରଧାନମନ୍ତ୍ରୀ ଆବାସଠାରୁ ଆରମ୍ଭ କରି ବାର୍ଦ୍ଧକ୍ୟ ଭତ୍ତା, ବିଧବା ଭତ୍ତା, ଖାଉଟି ସାମଗ୍ରୀ ଆଦି ହେରଫେର କରିବା ସହିତ ପଞ୍ଚାୟତର ପୁରୁଣା ନଳକୂପ ଯନ୍ତ୍ରାଂଶ ଗୁଡିକ ମନଇଛା ବିକ୍ରି କରି ଅର୍ଥ ହରିଲୁଟ କରିଛନ୍ତି ବୋଲି ଗତ ଫେବୃୟାରୀ ମାସ ୧୧ ତାରିଖରେ ନାଏବ ସରପଞ୍ଚ ସାଗରିକା ସାହୁଙ୍କ ନେତୃତ୍ୱରେ ପଞ୍ଚାୟତର ୮ ଜଣ ୱାର୍ଡ଼ ସଭ୍ୟସଭ୍ୟା ଉପ ଜିଲ୍ଲାପାଳ ଲଗ୍ନଜିତ ରାଉତଙ୍କୁ ଭେଟି ଅନାସ୍ଥା ପ୍ରସ୍ତାବ ଆଗତ କରିଥିଲେ । ତେବେ ଏହି ଅନାସ୍ଥା ପ୍ରସ୍ତାବ ପାଇଁ ଏକ ସ୍ୱତନ୍ତ୍ର ବୈଠକ ମାର୍ଚ୍ଚ ମାସ ୨୦ ତାରିଖରେ କରଡ଼ାପଡ଼ା ପଞ୍ଚାୟତ ପରିସରରେ ବସିବ ବୋଲି ଜିଲ୍ଲା ପ୍ରଶାସନ ତରଫରୁ ନିର୍ଦ୍ଦେଶନାମା ଜାରି କରାଯାଇଥିଲା । ତେବେ ମହାମାରୀ କରୋନା ଯୋଗୁଁ ଏହି ବୈଠକକୁ ମାର୍ଚ୍ଚ ୨୦ ତାରିଖରେ କରାନଯାଇ ସ୍ଥଗିତ ରଖା ଯାଇଥିଲା । ତେବେ ଜିଲ୍ଲା ପ୍ରଶାସନ ତରଫରୁ ଏହି ସ୍ୱତନ୍ତ୍ର ବୈଠକକୁ ଜୁଲାଇ ମାସ ୨୨ ତାରିଖରେ ବସିବା ପାଇଁ ପତ୍ରସଂଖ୍ୟା ୫୦୭ ମାଧ୍ୟମରେ ଗଣିଆ ବ୍ଲକ ପ୍ରଶାସନକୁ ଅବଗତ କରାଯାଇଥିଲା । ଏହାକୁ ଶେଷ ମୂହୂର୍ତ୍ତରେ ସ୍ଥଗିତ କରାଯାଇଥିବା ଜଣାଯାଇଛି ।





