ଅଭିଯୋଗକୁ ସରପଞ୍ଚଙ୍କ ଖଣ୍ଡନ
ନୟାଗଡ଼, (ବାଘୁଆବାର୍ତ୍ତା): ଗଣିଆ ବ୍ଲକ କରଡ଼ାପଡ଼ା ପଞ୍ଚାୟତର ସରପଞ୍ଚଙ୍କ ବିରୁଦ୍ଧରେ ଅନାସ୍ଥା ପ୍ରସ୍ତାବ ଆଣିଛନ୍ତି ଉକ୍ତ ପଞ୍ଚାୟତର ନିର୍ବାଚିତ ୱାର୍ଡ ସଭ୍ୟ । ଏ ନେଇ ୱାର୍ଡ ସଭ୍ୟ/ସଭ୍ୟା ନାଏବ ସରପଞ୍ଚ ସାଗରିକା ସାହୁଙ୍କ ନେତୃତ୍ୱରେ ଉପ ଜିଲ୍ଲାପାଳ ଲଗ୍ନଜିତ ରାଉତଙ୍କୁ ଭେଟି ଅନାସ୍ଥା ପ୍ରସ୍ତାବ ପ୍ରଦାନ କରିଛନ୍ତି । ଏହାର ଏକକିତା ନକଲ ଜିଲ୍ଲା ଗ୍ରାମପଞ୍ଚାୟତ ଅଧିକାରୀ ଓ ଗଣିଆ ବିଡିଓଙ୍କୁ ପଠାଇଥିବା ଜଣାପଡିଛି । ଏହି ପଞ୍ଚାୟତର ମୋଟ ୧୧ ଜଣ ୱାର୍ଡ ସଭ୍ୟଙ୍କ ମଧ୍ୟରୁ ଜଣକର ମୃତ୍ୟୁ ହୋଇ ଯାଇଥିବା ବେଳେ ୮ ଜଣ ୱାର୍ଡ ସଭ୍ୟ ଏହି ଅନାସ୍ଥା ପ୍ରସ୍ତାବ ଆଣିଥିôବା ଜଣାପଡ଼ିଛି । ୱାର୍ଡସଭ୍ୟ ମାନଙ୍କ ପ୍ରତିକ୍ରିୟାରୁ ଜଣାପଡିଛି ଯେ ସରପଞ୍ଚ ବେଣୁଧର ଦାସ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଠାରୁ ଆରମ୍ଭ କରିବାର୍ଦ୍ଧକ୍ୟ, ବିଧବା ଭତ୍ତା, ଖାଉଟି ସାମଗ୍ରୀ ଆଦି ଯୋଜନାରେ ହାତଗୁଞ୍ଜା ନେଇ ହେରଫେର କରୁଛନ୍ତି । ସେହିପରି ପଞ୍ଚାୟତର ବିଭିନ୍ନ ଗ୍ରାମରେ ଷ୍ଟ୍ରିଟ୍ ଲାଇଟ ନ ଲଗାଇ ମିଥ୍ୟା ଭାଉଚର କରିବା ସହିତ ପଞ୍ଚାୟତର ପୁରୁଣା ନଳକୂପ ଯନ୍ତ୍ରାଂଶ ଗୁଡିକୁ ନିଲାମ ନକରି ମନଇଛା ବିକ୍ରି କରି ଅର୍ଥ ହରିଲୁଟ କରିଛନ୍ତି । ପଞ୍ଚାୟତରେ ମାର୍କେଟ କମ୍ଲେକ୍ସ ଠାରୁ ଆରମ୍ଭ କରି କଲ୍ୟାଣମଣ୍ଡପ ପର୍ଯ୍ୟନ୍ତ ସମସ୍ତ କାର୍ଯ୍ୟରେ ଅନିୟମିତତା କରିଛନ୍ତି । ସମସ୍ତ ୱାର୍ଡ ସଭ୍ୟଙ୍କୁ ଉପେକ୍ଷା କରି ସମସସ୍ତ କାର୍ଯ୍ୟ ମନମୁଖୀ କରୁଛନ୍ତି । ସରପଞ୍ଚଙ୍କର ଏଭଳି କାର୍ଯ୍ୟରେ ଅସନ୍ତୋଷ ବ୍ୟକ୍ତ କରି ୱାର୍ଡ ସଭ୍ୟ/ସଭ୍ୟା ମାନେ ତାଙ୍କ ବିରୁଦ୍ଧରେ ଅନାସ୍ଥା ପ୍ରସ୍ତାବ ଆଗତ କରିଥିବା ପ୍ରକାଶ କରିଛନ୍ତି । ଏ ସଂପର୍କରେ ସରପଞ୍ଚ ବେଣୁଧର ଦାସଙ୍କୁ ପଚାରିବାରୁ କିଛି ଚକ୍ରାନ୍ତକାରୀ ଗୋଷ୍ଠୀ ରାଜନୈତିକ ଅଭିସନ୍ଧି ରଖି ମୋ ବିରୁଦ୍ଧରେ ଷଡଯନ୍ତ୍ର କରିଛନ୍ତି ବୋଲି ସେ ପ୍ରକାଶ କରିଛନ୍ତି । ମୋ ବିରୁଦ୍ଧରେ ଅଭିଯୋଗ ସଂପୂର୍ଣ୍ଣ ଭିତ୍ତିହିନ ବୋଲି ସେ ଜଣାଇଛନ୍ତିି । ଭତ୍ତା ହଡ଼ପ କରିଥିବା ବ୍ୟକ୍ତିଙ୍କୁ ଜିଲ୍ଲାପାଳ ନିଲମ୍ବନ କରିଥିବା ଓ ସେ ଫେରାର ଥିବା ଘଟଣା ସମସ୍ତେ ଜାଣିଛନ୍ତି ବୋଲି ସେ ଦର୍ଶାଇଛନ୍ତି ।






