ଗଣିଆ, (ବାଘୁଆବାର୍ତ୍ତା) : ହାଇଦ୍ରବାଦରେ କାମ କରି ପେଟ ପୋଷୁଥିବା ଗଣିଆ ବ୍ଲକ ଆଡ଼କଟା ପଞ୍ଚାୟତ ସିତୁଲିଆ ସାହିର ପ୍ରାୟ ୪୫ ଜଣ ଗତ ମେ ମାସରେ ଗଣିଆ ଫେରିଥିଲେ । ସେମାନଙ୍କୁ ରାସଙ୍ଗ ପ୍ରାଥମିକ ବିଦ୍ୟାଳୟ ସଂଗରୋଧ କେନ୍ଦ୍ରରେ ରଖାଯାଇଥିଲା । ସେଠାରେ ୧୪ ଦିନ ରହିବା ପରେ ସେମାନେ ଘରକୁ ଫେରିଥିଲେ । ତେବେ ସଂଗରୋଧ ଅବଧି ସାରିବା ପରେ ସରକାରଙ୍କ ତରଫରୁ ଦିଆଯାଉଥିବା ୨ ହଜାର ଟଙ୍କା ତାଙ୍କୁ ମିଳି ନଥିଲା । ତାଙ୍କର ବ୍ୟାଙ୍କ ଆକାଉଣ୍ଟକୁ ଟଙ୍କା ପଠାଯିବ ବୋଲି ପ୍ରଶାସନ ତରଫରୁ କୁହାଯାଇଥିଲା । ଏପରିକି ସେମାନେ ଘରକୁ ଯାଇ ଆଧାରକାର୍ଡ଼, ବ୍ୟାଙ୍କ ଆକାଉଣ୍ଟ ଜେରକ୍ସ କପି ସରପଞ୍ଚଙ୍କୁ ପ୍ରଦାନ କରିଥିଲେ । ତେବେ ଆଜିକୁ ପ୍ରାୟ ୩ ମାସରୁ ଅଧିକ ସମୟ ବିତି ଯାଇଥିଲେ ମଧ୍ୟ ସେମାନଙ୍କୁ ପ୍ରାପ୍ୟ ମିଳି ପାରି ନାହିଁ । ଗଣିଆ ଠାରୁ ୭ କିଲୋମିଟର ଦୂର ସିତୁଲିଆ ସାହିଠାରୁ ପ୍ରାୟ ୪ ଥର ସେମାନେ ଗାଡ଼ିଭଡ଼ା କରି ବ୍ଲକକୁ ଆସି ଅଭିଯୋଗ କରିଥିଲେ ମଧ୍ୟ କେହି ଶୁଣୁ ନଥିବାରୁ ଆଜି ଅପରାହ୍ନ ୪ ଘଟିକା ସମୟରେ ପ୍ରାୟ ୨୦ ଜଣ ମହିଳା ଓ ପୁରୁଷ ବ୍ଲକ ସମ୍ମୁଖରେ ଆସି ବସି ରହିଥିଲେ । ଟଙ୍କା ନଦେଲେ ଆମେ ଯିବୁ ନାହିଁ ବୋଲି ଦାବି ଧରିଥିବା ବେଳେ ବ୍ଲକ ପକ୍ଷରୁ ତାଙ୍କୁ ବୁଝାଶୁଝା କରାଯିବା ପରେ ସେମାନେ ଘରକୁ ଫେରିଛନ୍ତି ।
ଋିର୍ପୋଟ ଡି. ଦାଶ






