ଗମ୍ଭାରିଡିହି ଗ୍ରାମ ପଂଚାୟତରେ ଶିଳାନ୍ୟାସ ଓ ଶୁଭ ଉଦ୍ଘାଟନ
ନୟାଗଡ଼,(ବାଘୁଆବାର୍ତ୍ତା): ନୟାଗଡ଼ ଜିଲ୍ଲା ସଦର ବ୍ଲକ ଅନ୍ତର୍ଗତ ଗମ୍ଭାରିଡିହି ଗ୍ରାମ ପଂଚାୟତରେ ମାରାଥନ ଭାବେ ଶୁଭ ଉଦ୍ଘାଟନ ଓ ଶିଳାନ୍ୟାସ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ରାଜ୍ୟ ସରକାରଙ୍କ କୃଷି ଓ କୃଷକ ସଶକ୍ତି କରଣ, ମତ୍ସ୍ୟ ଓ ପ୍ରାଣୀ ସଂପଦ ଏବଂ ଉଚ୍ଚଶିକ୍ଷା ବିଭାଗ ମନ୍ତ୍ରୀ ଡ. ଅରୁଣ କୁମାର ସାହୁ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ନୟାଗଡ଼ ଜିଲ୍ଲାପାଳ ଡ. ପୋମା ଟୁଡୁ, ବ୍ଲକ ଅଧ୍ୟକ୍ଷା ଗୋଲାପ ଦଳବେହେରା, ଗ୍ରାମ୍ୟ ଜଳଯୋଗାଣ ବିଭାଗ ନିର୍ବାହୀ ଯନ୍ତ୍ରୀ ରାଜୀବ ପାଣିଗ୍ରାହୀ, ଜିଲ୍ଲା ପରିଷଦ ସଭ୍ୟା ଅରୁଣା ନାୟକ, ବିଡିଓ ମନୋଜ ପାତ୍ର, ସରପଂଚ ଦିବାକର ମିଶ୍ର, ସମିତି ସଭ୍ୟା ସଂଯୁ ମହାପାତ୍ର ପ୍ରମୂଖ ଯୋଗ ଦେଇଥିଲେ । ଅତିଥିମାନେ ନନ୍ଦପୁରଠାରେ ୫୭ ଲକ୍ଷ ୫୪ ହଜାର ଟଙ୍କା ବ୍ୟୟରେ ନିର୍ମାଣ ହେବାକୁ ଥିବା ପାନୀୟ ଜଳ ପ୍ରକଳ୍ପର ଶୁଭ ଦେବା ସହ ଗମ୍ଭାରିଡିହି ଗ୍ରାମରେ ୩୨ ଲକ୍ଷ ବ୍ୟୟରେ ପୁନରୁଦ୍ଧାର ହେବାକୁ ଥିବା ମହାପୁଷ୍କରିଣୀର ଶୁଭ ଦେଇଥିଲେ । ସେହିପରି ଭାବେ ଗମ୍ଭାରିଡିହି ଗ୍ରାମ ପଂଚାୟତରେ ୩୫ ଲକ୍ଷ ବ୍ୟୟରେ ନିର୍ମାଣ ହୋଇଥିବା କଲ୍ୟାଣ ମଣ୍ଡପକୁ ଜନସାଧାରଣଙ୍କ ନିମନ୍ତେ ଉତ୍ସର୍ଗୀକୃତ୍ତ କରିଥିଲେ । ଏହି ଅବସରରେ ଆୟୋଜିତ ସଭାରେ ମୁଖ୍ୟ ଅତିଥି ଗ୍ରାମାଞ୍ଚଳ ବିକାଶରେ ନବୀନ ପଟ୍ଟନାୟକଙ୍କ ସରକାରରେ ଅର୍ଥର ଅଭାବ ନଥିବା ନେଇ ପ୍ରକାଶ କରିବା ସହ ଗରୀବ ମାନଙ୍କର କାମ ନିସ୍ୱାର୍ଥପର ଓ ନିଷ୍ଠାପର ଭାବେ କରିବା ଉଚିତ ବୋଲି ସମସ୍ତଙ୍କୁ ପରାମର୍ଶ ଦେଇଥିଲେ । ଏଥିସହିତ ମୁଖ୍ୟ ଅତିଥି ଖୁବଶ୍ରୀଘ୍ର ନୟାଗଡ଼ ନିର୍ବାଚନ ମଣ୍ଡଳୀ ଏକ ବିକାଶଶୀଳ ନିର୍ବାଚନ ମଣ୍ଡଳୀରେ ପରିଣତ ହେବାକୁ ଯାଉଛି ବୋଲି କହିଥିଲେ । ଜିଲ୍ଲାପାଳ ତାଙ୍କ ବକ୍ତବ୍ୟରେ ଆଜିର ମହିଳା ଦିବସରେ ଗମ୍ଭାରଡିହି ପଂଚାୟତର ମହିଳା ମାନଙ୍କ ପାଇଁ ପାନୀୟ ଜଳ, ପୁଷ୍କରିଣୀ ଓ କଲ୍ୟାଣ ମଣ୍ଡପର ଉତ୍ସର୍ଗ କରାଗଲା ବୋଲି କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଏହି କାର୍ଯ୍ୟକ୍ରମରେ ନୟାଗଡ଼ ବ୍ଲକ ସହକାରୀ ଯନ୍ତ୍ରୀ ଅଜୟ କୁମାର ସିଂ, କନିଷ୍ଠ ଯନ୍ତ୍ରୀ ସୁମିତ୍ରା ନାୟକ, ପାନୀୟ ଜଳ ବିଭାଗର କନିଷ୍ଠ ଯନ୍ତ୍ରୀ ସୁବାସ ସ୍ୱାଇଁ ପ୍ରମୂଖ ଯୋଗ ଦେଇଥିବା ବେଳେ ବହୁ ଜନସାଧାରଣ ଯୋଗ ଦେଇଥିଲେ ।







