ନୟାଗଡ଼, (ବାଘୁଆବାର୍ତ୍ତା) : ନୟାଗଡ଼ ଜିଲ୍ଲା ଦଶପଲ୍ଲା ବ୍ଲକ ଅନ୍ତର୍ଗତ ଖରସ୍ରୋତା ବୃତଙ୍ଗ ନଦୀକୁ ଖୁଦୁରୁକୁଣି ଓଷା କରିବାକୁ ଯାଇଥିବା ବେଳେ ନଦୀର ପ୍ରଖର ସୂଅରେ ଭାସିଯାଇ ଜଣେ ଯୁବତୀ ପ୍ରାଣ ହରାଇଥିବା ବେଳେ ୩ ଜଣଙ୍କୁ ଉଦ୍ଧାର କରାଯାଇଛି । ସୂଚନାନୁସାରେ, ଦଶପଲ୍ଲା ଥାନା ଅନ୍ତର୍ଗତ ଟାକରା ପଂଚାୟତ ବୁରୁସାହି ଗାଁରେ ଯବତୀମାନେ ଆଜି ଖୁଦୁରୁକୁଣି ଓଷା ଆଜି ନଦୀରେ ଗାଧୋଇବା ପାଇଁ ଯାଇଥିଲେ । ଏହି ସମୟରେ ପ୍ରମୋଦ ମାଝିଙ୍କ ସାନ ଝିଅ ଆରତୀ (ଲୁସି) ଗୋଡ ଖସି ଯିବାରୁ ସେ ଭାସି ଯାଉଥିବା ଦେଖି ତାଙ୍କୁ ଉଦ୍ଧାର କରିବା ପାଇଁ ବଡ ଭଉଣୀ ଶ୍ରଦ୍ଧାଞଳୀ, ଜମୁନା ନାୟକ ଏବଂ ଜିତା ସାହୁ ଜଣଙ୍କ ପରେ ଜଣେ ଲମ୍ଫ ମାରିଥିଲେ । ନଦୀର ପ୍ରଖର ସୁଅରେ ସମସ୍ତେ ଭାସି ଯାଉଥିବା ଦେଖି ସ୍ଥାନୀୟ ଜନସାଧାରଣ କିଛି ବାଟ ମଧ୍ୟରେ ଆରତୀ, ଜମୁନା ଓ ଜିତାଙ୍କୁ ଉଦ୍ଧାର କରିଥିବା ବେଳେ ଶ୍ରଦ୍ଧାଞ୍ଜଳୀଙ୍କ କୈାଣସି ପତ୍ତା ମିଳିନଥିଲା । ବୁରୁସାହି ଘାଟରୁ ପ୍ରାୟ ୩ କିମି ଭାସିଯିବା ପରେ ପେହେଲାଜୁ ଘାଟଠାରେ ସ୍ଥାନୀୟ ଜନସାଧାରଣ ଏବଂ ସ୍ଥାନୀୟ ଦମକଳ ବାହିନୀର କର୍ମଚାରୀମାନେ ଶ୍ରଦ୍ଧାଞ୍ଜଳୀଙ୍କୁ ମୁର୍ମୁଷୁ ଅବସ୍ଥାରେ ଉଦ୍ଧାର କରିଥିଲେ । ତାଙ୍କୁ ୧୦୮ ଆମ୍ବୁଲାନ୍ସ ଯୋଗେ ଦଶପଲ୍ଲା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିବା ବେଳେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣ କରିଛନ୍ତି ।