ନୟାଗଡ଼,(ବାଘୁଆବାର୍ତ୍ତା): ରାଜ୍ୟ ସରକାର ପ୍ରବାସୀଙ୍କୁ ଫେରିବାକୁ ଅନୁମତି ଦେବା ପରେ ବିଭିନ୍ନ ବସ୍ ଓ ଟ୍ରେନ ଯୋଗେ ଜିଲ୍ଲାକୁ ଅନେକ ପ୍ରବାସୀ ଫେରୁଥିବା ଜଣାଯାଇଛି । ଯେତିକି ପ୍ରବାସୀ ରାଜ୍ୟ ସରକାରଙ୍କ ନିୟମନୁସାରେ ନାମ ପଂଜିକରଣ କରି ଫେରୁଛନ୍ତି, ସେମାନେ ଫେରୁଥିବା ନେଇ ଜିଲ୍ଲା ପ୍ରଶାସନ ପାଖରେ ଖବର ପହଂଚୁଛି । ମାତ୍ର ଅନେକ ପ୍ରବାସୀ ବିନା ପଂଜିକରଣ ଏବଂ ବିନା ସୂଚନାରେ ଫେରୁଥିବାକୁ ନେଇ ପ୍ରଶାସନ ନାକେଦମ ହେଉଛି । ଏଭଳି ଆଜି କିଛି ପ୍ରବାସୀ ବିନା ସୂଚନାରେ ଜିଲ୍ଲାରେ ପହଂଚିବା ପରେ, କାହିଁକି ଆମ ପାଖକୁ ଗାଡ଼ି ପଠାଉ ନାହଁ ବୋଲି ଏହି ଫେରନ୍ତାମାନେ ଧମକ ଦେଉଥିବା ଜଣାଯାଇଛି । ସୂଚନାନୁସାରେ, ଆଜି ଆନ୍ଧ୍ରପ୍ରଦେଶରୁ ଚାନ୍ଦପୁରକୁ ୮ ଜଣ ଆସିଥିବା ବେଳେ ସେମାନଙ୍କୁ ରଣପୁର ବ୍ରଜରାଜନଗର କ୍ୱାରେଣ୍ଟାଇନ୍ ସେଣ୍ଟରରେ ରଖାଯାଇଛି । ସେହିପରି ଭାପୁର ଅଂଚଳକୁ ତେଲେଙ୍ଗାନାରୁ ୮ଜଣ ପ୍ରବାସୀ ଆସିଛନ୍ତି ଏବଂ ଟ୍ରେନ ଯୋଗେ ତେଲେଙ୍ଗାନାରୁ ୮ ଜଣ ବ୍ରହ୍ମପୁର ଜଗନ୍ନାଥପୁର ଷ୍ଟେସନ୍ରେ ପଂହଚିବା ପରେ ତାଙ୍କ ସ୍ୱତନ୍ତ୍ର ଗାଡ଼ି ଯୋଗେ ଅଣାଯାଇ କ୍ୱାରେଣ୍ଟାଇନ୍ରେ ରଖାଯାଇଛି । ଏହି ଫେରନ୍ତାମାନେ ବିନା ସୂଚନାରେ ଆସି ଗାଡ଼ି ପଠାଇବା ପାଇଁ ପ୍ରଶାସନିକ ଅଧିକାରୀଙ୍କୁ ଧମକ ଦେବା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।






