ନୟାଗଡ଼,(ବାଘୁଆବାର୍ତ୍ତା): କାଶ୍ମୀରିରୁ ୩ଟି ସ୍ୱତନ୍ତ୍ର ବିମାନ ଯୋଗେ ୩୬୬ ଜଣ ପ୍ରବାସୀ ଭୂବନେଶ୍ୱରରେ ପହଂଚିଥିବା ବେଳେ ସେଥିରେ ନୟାଗଡ଼ର ୯୩ ଜଣ ପ୍ରବାସୀ ନୟାଗଡ଼ ଫେରିଛନ୍ତି । ଏନେଇ ଜିଲ୍ଲାପାଳ ଡ. ପୋମା ଟୁଡୁଙ୍କ ନେତୃତ୍ୱରେ ଅତିରିକ୍ତ ଜିଲ୍ଲାପାଳ ବିଧାନ ଚନ୍ଦ୍ର ରାୟ, ଉପଜିଲ୍ଲାପାଳ ଲଗ୍ନିଜତ ରାଉତ, ପ୍ରକଳ୍ପ ନିର୍ଦ୍ଦେଶକ ସୁବାସ ଚନ୍ଦ୍ର ରାୟ ଭୂବନେଶ୍ୱର ବିମାନ ବନ୍ଦରରୁ ପ୍ରବାସୀମାନଙ୍କୁ ନୟାଗଡ଼ ଆଣିବା ପାଇଁ ସ୍ୱତନ୍ତ୍ର ବସ ବ୍ୟବସ୍ଥା କରିଥିଲେ । ଆଜି ନୟାଗଡ଼ ବିଧାୟକ ତଥା ରାଜ୍ୟ ସରକାରଙ୍କ କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀ ସଂପଦ ଏବଂ ଉଚ୍ଚଶିକ୍ଷା ବିଭାଗ ମନ୍ତ୍ରୀ ଡ. ଅରୁଣ କୁମାର ସାହୁ ବିଜୁ ପଟ୍ଟନାୟକ ବିମାନ ବନ୍ଦରରେ ପଂହଚି ପ୍ରବାସୀଙ୍କୁ ସ୍ୱାଗତ କରିଥିବା ଜଣାଯାଇଛି । ସେମାନେ ବସଯୋଗେ ଆସି ନୟାଗଡ଼ରେ ପହଂଚିବା ପରେ ତାଙ୍କ ପ୍ରଶାସନ ପକ୍ଷରୁ ସ୍ୱାଗତ କରାଯାଇଛି । ଉପଜିଲ୍ଲାପାଳ ଶ୍ରୀଯୁକ୍ତ ରାଉତ, ନୟାଗଡ଼ ବିଡିଓ ମନୋଜ ପାତ୍ର, ଏମ୍ଭିଆଇ, ଟାଉନଥାନା ଏସ୍ଆଇ ଧର୍ମେନ୍ଦ୍ର ଶିଆଳ, ସ୍ମୃତି ରଂଜନ ମହାନ୍ତି ପ୍ରମୂଖ ସେମାନଙ୍କୁ ଅନ୍ୟ ବସ ଯୋଗେ ବିଭିନ୍ନ ବ୍ଲକକୁ ପଠାଇଛନ୍ତି । ଏହି ପ୍ରବାସୀଙ୍କ ମଧ୍ୟରେ ଓଡ଼ଗାଁ, ନୟାଗଡ଼, ଖଣ୍ଡପଡ଼ା ଓ ଗଣିଆ ବ୍ଲକର ପ୍ରବାସୀ ରହିଥିବା ଜଣାଯାଇଛି ।






