ନୟାଗଡ଼, (ବାଘୁଆବାର୍ତ୍ତା) : ରାଜ୍ୟକୁ ପ୍ରବାସୀ ଫେରିବାକୁ ଅନୁମତି ମିଳିବା ପରେ ବାହାର ରାଜ୍ୟରେ ଥିବା ଲୋକମାନେ ପ୍ରଥମେ ବସ, ଟ୍ରକ ଓ ଟ୍ରେନ ଯୋଗେ ଫେରିଥିବା ବେଳେ ପ୍ରଥମ ଥର ପାଇଁ ସ୍ୱତନ୍ତ୍ର ବିମାନ ଯୋଗେ ପ୍ରବାସୀ ନୟାଗଡ଼ ଫେରିଛନ୍ତି । କାଶ୍ମୀରିରୁ ୩ଟି ସ୍ୱତନ୍ତ୍ର ବିମାନ ଯୋଗେ ୩୬୬ ଜଣ ପ୍ରବାସୀ ଭୂବନେଶ୍ୱରରେ ପହଂଚିଥିବା ବେଳେ ସେଥିରେ ନୟାଗଡ଼ର ୮୭ ଜଣ ପ୍ରବାସୀ ରହିଥିବା ନେଇ ଜିଲ୍ଲାକୁ ସୂଚନା ଆସିଥିଲା । ଏନେଇ ଜିଲ୍ଲାପାଳ ଡ. ପୋମା ଟୁଡୁଙ୍କ ନେତୃତ୍ୱରେ ଅତିରିକ୍ତ ଜିଲ୍ଲାପାଳ ବିଧାନ ଚନ୍ଦ୍ର ରାୟ, ଉପଜିଲ୍ଲାପାଳ ଲଗ୍ନିଜତ ରାଉତ, ପ୍ରକଳ୍ପ ନିର୍ଦ୍ଦେଶକ ସୁବାସ ଚନ୍ଦ୍ର ରାୟ ଭୂବନେଶ୍ୱର ବିମାନ ବନ୍ଦରରୁ ପ୍ରବାସୀମାନଙ୍କୁ ନୟାଗଡ଼ ଆଣିବା ପାଇଁ ସ୍ୱତନ୍ତ୍ର ବସ ବ୍ୟବସ୍ଥା କରିଥିଲେ । ଆଜି ନୟାଗଡ଼ ବିଧାୟକ ତଥା ରାଜ୍ୟ ସରକାରଙ୍କ କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀ ସଂପଦ ଏବଂ ଉଚ୍ଚଶିକ୍ଷା ବିଭାଗ ମନ୍ତ୍ରୀ ଡ. ଅରୁଣ କୁମାର ସାହୁ ବିଜୁ ପଟ୍ଟନାୟକ ବିମାନ ବନ୍ଦରରେ ପଂହଚି ପ୍ରବାସୀଙ୍କୁ ସ୍ୱାଗତ କରିଥିବା ଜଣାଯାଇଛି । ସେମାନେ ଏବେ ନୟାଗଡ଼ ଅଭିମୂଖେ ଆସୁଥିବା ବେଳେ ଜିଲ୍ଲା ପ୍ରଶାସନ ପକ୍ଷରୁ ସେମାନଙ୍କୁ ସଂଗରୋଧରେ ରଖିବା ପାଇଁ ବ୍ୟବସ୍ଥା ଗ୍ରହଣ କରାଯାଇଛି ।







