ନୟାଗଡ଼,(ବାଘୁଆବାର୍ତ୍ତା): ଶିକ୍ଷା ବିଭାଗରେ ସାଧନ କେନ୍ଦ୍ର କର୍ମୀ (ସିଆରସିସି) ନାମକ ଏକ ଗୁରୁତ୍ୱପୂର୍ଣ୍ଣ ପଦବୀ ରହିଛି । ଏହି ପଦବୀ ବିଦ୍ୟାଳୟ ଓ ଅଫିସ ମଧ୍ୟରେ ଏକ ସଂଯୋଗ ରୂପେ କାର୍ୟ୍ୟ କରିଥାଏ, ଯାହା ମାଧ୍ୟମରେ ଶିକ୍ଷା ବିଭାଗର ବିଭିନ୍ନ ଚିଠି, ଖବରକୁ ବିଦ୍ୟାଳୟ ସ୍ତରରେ ପହଞ୍ଚାଇ ଥାଏ ଏବଂ ବିଭିନ୍ନ ନିର୍ଦ୍ଦେଶନାମାକୁ କାର୍ୟ୍ୟ କରିବାରେ ସହାୟକ ହୋଇଥାଏ । ଏହି ପଦବୀ ଥିବା ବ୍ୟକ୍ତି ପ୍ରତି ୫ ବର୍ଷରେ ଥରେ ପରିବର୍ତ୍ତିତ ହୋଇଥାଏ । ୨୦୨୨ ମସିହାରୁ ଏହି ପଦବୀର ଥିବା ବ୍ୟକ୍ତିଙ୍କ କାର୍ୟ୍ୟ କାଳ ଶେଷ ହୋଇଛି । ଏଥି ନିମନ୍ତେ ନୂତନ ନିଯୁକ୍ତି ବିଗତ ଦିନରେ ଶିକ୍ଷା ବିଭାଗ ପକ୍ଷରୁ ଚିଠି ବାହାରି ଥିଲା । ଚିଠି ଅନୁଯାୟୀ ୨୦୨୨ ମସିହା ଡିସେମ୍ବର ମାସ ୫ ତାରିଖରେ ରାଜସୁନାଖଳା ଶିକ୍ଷକ ତାଲିମ କେନ୍ଦ୍ର ଠାରେ ମଧ୍ୟ ଭିଜନିଙ୍ଗ ଶେଷ ହୋଇଛି । କିନ୍ତୁ ଭିଜନିଙ୍ଗ ଟେଷ୍ଟର ଦୀର୍ଘ ୪ ମାସ ପରେ ମଧ୍ୟ ଅଦ୍ୟାବଧି ନିଯୁକ୍ତି ଦିଆଯାଉ ନାହିଁ । ବିଭିନ୍ନ ଶିକ୍ଷକ ସଂଗଠନ ଜିଲ୍ଲା ଶିକ୍ଷା ଅଧିକାରୀ ଅକ୍ରୁର ବାରିକଙ୍କୁ ଏ ବିଷୟରେ ଅବଗତ କରିଥିଲେ ମଧ୍ୟ ଜିଲ୍ଲା ଶିକ୍ଷା ଅଧିକାରୀ ଏଥିପ୍ରତି କର୍ଣ୍ଣପାତ କରୁ ନଥିବା ଅଭିଯୋଗ ହୋଇଛି । କାହା ସ୍ୱାର୍ଥରେ ଜିଲ୍ଲା ଶିକ୍ଷା ଅଧିକାରୀ ଏହି ନିଯୁକ୍ତିରେ ବିଳମ୍ବ କରୁଛନ୍ତି, ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ବିଭିନ୍ନ ଶିକ୍ଷକ ସଂଗଠନରେ ଏହାକୁ ନେଇ ଅସନ୍ତୋଷ ଦେଖା ଦେଇଛି । ନୟାଗଡ଼ ଜିଲ୍ଲାପାଳ ଓ ଉପରିସ୍ଥ ଅଧିକାରୀ ଏ ଦିଗରେ ଦୃଷ୍ଟି ଦେଇ ତୁରନ୍ତ ପଦକ୍ଷେପ ନେବା ପାଇଁ ଦାବି ହେଉଛି । ସିଆରସିସିଙ୍କ କାର୍ଯ୍ୟାକାଳ ଶେଷ ହୋଇଥିବା ବେଳେ ମାର୍ଚ୍ଚ ଶେଷ ପରେ ନୂତନ ସିଆରସିସି ନିଯୁକ୍ତି ପାଇଁ ବ୍ୟବସ୍ଥା ଆପଣାଯିବ ବୋଲି ଜିଲ୍ଲା ଶିକ୍ଷା ଅଧିକାରୀ କହିଛନ୍ତି ।





