ନୟାଗଡ଼,(ବାଘୁଆବାର୍ତ୍ତା): ନୟାଗଡ଼ ଜିଲ୍ଲା କେନ୍ଦ୍ର ସମବାୟ ବ୍ୟାଙ୍କ ପରିଚାଳନା ପରିଷଦ ବୈଠକରେ ଦୁଇ କର୍ମଚାରୀଙ୍କୁ ନିଲମ୍ବନ କରିବାକୁ ନିଷ୍ପତ୍ତି ଗ୍ରହଣ କରାଯାଇଛି । ସଭାପତି ରବୀନ୍ଦ୍ର ନାଥ ସାହୁଙ୍କ ଆହ୍ୱାନ କ୍ରମେ ଆଜି ପରିଚାଳନା ପରିଷଦ ବୈଠକ ସକାଳ ୧୧ ଘଟିକା ସମୟରେ ବସିଥିଲା । ସଭାପତି ବ୍ୟାଙ୍କ ମୁଖ୍ୟାଳୟ ଏଷ୍ଟାବ୍ଲିସମେଣ୍ଟ ସେସ୍କନରେ କାର୍ଯ୍ୟରତ ପରିଚାଳକ ସସ୍ମିତା ଦାଶ ଏବଂ ଅତିରିକ୍ତ ସାଧାରଣ ପରିଚାଳକ ମୃତ୍ୟୁଞ୍ଜୟ ବେହେରାଙ୍କୁ ସଭାବହି ଏବଂ ଅନ୍ୟାନ କାଗଜପତ୍ର ଉପସ୍ଥାପନ କରିବାକୁ ଚିଠି ମାଧ୍ୟମରେ ଅବଗତ କରିଥିଲେ । ଉଭୟ କର୍ମଚାରୀ ଚିଠିକୁ ଅଣଦେଖା କରିବା ସହ କୈାଣସି କାଗଜପତ୍ର ଏବଂ ସଭାବହି ଦେବାକୁ ରାଜି ହୋଇନଥିଲେ । ଯାହାକୁ ନେଇ ନୟାଗଡ଼ ଜିଲ୍ଲା ସମବାୟ ସମିତି ସମୂହ ଉପ ନିବନ୍ଧକ ଅନନ୍ତ ନାରାୟଣ ନାୟକଙ୍କ ଉପସ୍ଥିତିରେ ଅନୁଷ୍ଠିତ ବୈଠକରେ ଉଭୟ କର୍ମଚାରୀଙ୍କୁ ଅବମାନନା କାରଣରୁ ନିଲମ୍ବନ କରିବାକୁ ନିଷ୍ପତ୍ତି ଗ୍ରହଣ କରାଯାଇଛି । ଲଗାତର ଭାବେ ଡିସେମ୍ବର ମାସରୁ ଅଦ୍ୟାବଧି ଅନୁଷ୍ଠିତ ହେଉଥିବା ପରିଚାଳନା ପରିଷଦ ବୈଠକରେ ବ୍ୟାଙ୍କ ସମ୍ପାଦକ ଜାଣିଶୁଣି ଅନୁପସ୍ଥିତ ରହୁଥିବା ବ୍ୟାଙ୍କ ନିର୍ଦ୍ଦେଶକ ସନ୍ୟାସୀ ପ୍ରଧାନ ଦର୍ଶାଇବା ସହ ଡିଆରସିଏସ୍ଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି । ଜିଲ୍ଲାରେ ଆଖୁଚାଷ ହୋଇନଥିବା ବେଳେ ବ୍ୟାଙ୍କ ଓଏସ୍ସିବିରୁ ଋଣ ଆଣି ୫୨୪ କୋଟି ୫୮ ଲକ୍ଷ ଟଙ୍କା ଋଣ ଲଗାଣ କରିଛି । କେଉଁ ଭଳି ଭାବେ କାଗଜପତ୍ରରେ ଆଖୁଋଣ ଲଗାଣ କରାଯାଇଛି ବୋଲି ସେ ପ୍ରଶ୍ନ ଉଠାଇଛନ୍ତି । ବ୍ୟାଙ୍କ ଅବସ୍ଥା ଦିନକୁ ଦିନ ଦେବାଳିଆ ହୋଇ ଚାଲିଥିବା ଜଣାପଡ଼ିଛି ।





