
ନୟାଗଡ଼, (ବାଘୁଆବାର୍ତ୍ତା) : ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ ଗତକାଲି ରାତିରେ ଜଣେ ସର୍ଜରୀ ଡାକ୍ତର ଓ ଷ୍ଟାଫ ନର୍ସ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ଡାକ୍ତରଖାନାରେ କୋକୁଆ ଭୟ ସୃଷ୍ଟି ହୋଇଛି । ମୁଖ୍ୟ ଚିକିତ୍ସାଳୟ ପରିସରରେ ଥିବା କୋଭିଡ୍ କଣ୍ଟ୍ରୋଲ ରୁମ୍, ସର୍ଜରୀ ୱାର୍ଡ଼, ମାତୃ ଶିଶୁ କେଠାର ଗୋଟିଏ ୱାର୍ଡ଼କୁ ଜିଲ୍ଲା ପ୍ରଶାସନ ପକ୍ଷରୁ ସିଲ୍ କରି ଦିଆ ହୋଇଛି । ଏହି ଘଟଣାକୁ ନେଇ ଲୋକଙ୍କ ମନରେ କୋକୁଆ ଭୟ ସୃଷ୍ଟି ହୋଇଥିବା ବେଳେ ଆଜି ଡାକ୍ତରଖାନା ଖାଁ ଖାଁ ହୋଇପଡ଼ିଛି । ଅନ୍ୟଦିନ ମାନଙ୍କ ରୋଗୀ ଏବଂ ରୋଗୀ ସଂମ୍ପର୍କୀୟ ମାନଙ୍କର ଯେଉଁ ଗହଳି ରହୁଥିଲା ତାହା ଆଜି ଦେଖିବାକୁ ମିିଳି ନାହିଁ । ଡାକ୍ତରଖାନା ପରିସରରେ ଥିବା ଚା ଦୋକାନରେ ମଧ୍ୟ ଆଜି ଗହଳୀ ଶୂନ୍ୟ ଭଳି ପରିସ୍ଥିତି ସୃଷ୍ଟି ହୋଇଛି । ସାଧାରଣ ଲୋକଙ୍କ ବ୍ୟତିତ ସ୍ୱାସ୍ଥ୍ୟ କର୍ମଚାରୀମାନେ ମଧ୍ୟ ବହୁ କମ ପରିମାଣରେ ଡାକ୍ତରଖାନା ଆସିଥିବା ଜଣାଯାଇଛି । ମିଳିଥିବା ସୂଚନାନୁସାରେ, ଗତକାଲି ରାତି ୧୨ଟାରୁ ସକାଳ ୬ଟା ମଧ୍ୟରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ୧୭ ଜଣ ରୋଗୀ ଆସିଥିବା ବେଳେ ଆଜି ସକାଳ ୬ଟାରୁ ସକାଳ ୮ଟା ୪୦ ମଧ୍ୟରେ ମାତ୍ର ୧୬୮ ଜଣ ରୋଗୀ ଆସିଥିବା ଜଣାଯାଇଛି । ଏହି ସଂଖ୍ୟା ଅନ୍ୟଦିନ ମାନଙ୍କରେ ବହୁ ଅଧିକ ରହୁଥିବା ବେଳେ କରୋନା ଏବେ ମୁଖ୍ୟ ଚିକିତ୍ସାଳୟର ସ୍ଥିତିକୁ ବଦଳେଇ ଦେଇଥିବା ଜଣାଯାଇଛି । ଅନ୍ୟପକ୍ଷେ, ସବୁ ସ୍ଥିତିରେ କାମ କରୁଥିବା ସଫେଇ କର୍ମଚାରୀମାନେ ଆଜି ମଧ୍ୟ ସେମାନଙ୍କର କାମ ସୂଚାରୁ ଋପେ କରି ଚାଲିଥିବା ବେଳେ ସେମାନଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଉନଥିବାରୁ ଅସନ୍ତୋଷ ପ୍ରକାଶ କରିଛନ୍ତି ।







