ନୟାଗଡ଼, (ବାଘୁଆବାର୍ତ୍ତା): ଚଞ୍ଚକତା କରି ଖମାରିସାହି ସମବାୟ ସମିତିରେ ଚାଲିଛି ଧାନ କିଣା ବିକା । କେନାଲ ଓ କାଜୁ ବଗିଚା ଜମିରେ ଧାନ ଫଳୁଥିବା ନେଇ ରିର୍ପୋଟ ପ୍ରସ୍ତୁତ କରାଯାଇ ମଣ୍ଡିରେ ଧାନ କିଣା ବିକା ହେଉଥିବା ଅଭିଯୋଗ ହୋଇଛି । ସୂଚନାନୁସାରେ, ଚାଷୀମାନେ ନିଜ ଜମିରେ ଉତ୍ପାଦିଦ ଧାନକୁ ମଣ୍ଡିରେ ବିକ୍ରି କରି ପାରୁନଥିବା ବେଳେ ଚାଷୀଙ୍କ ଠାରୁ ପଟା ନେଇ ଜଣେ ଦଲାଲ୍ ମଣ୍ଡି ଦାୟିତ୍ୱରେ ଥିବା ଖମାରିସାହି ସମବାୟ ସମିତି ସଂପାଦକଙ୍କ ସହାୟତାରେ ହେରାଫେରି କରିଥିବା ଅଭିଯୋଗ ହୋଇଛି । ଭାଟସାହି ଗ୍ରାମର କୃଷ୍ଣଚନ୍ଦ୍ର ସାହୁଙ୍କ ପୁଅ ରବି ସାହୁ ଚାଷୀଙ୍କ ଠାରୁ ଧାନ କମ ମୁଲ୍ୟରେ ଧାନ କିଣି ପ୍ରତ୍ୟେକ ବର୍ଷ ମଣ୍ଡିରେ ଉଚ୍ଚ ମୁଲ୍ୟରେ ଧାନ ପ୍ରଦାନ କରି ବେଶ ଲାଭ ବାନ ହେଉଛନ୍ତି । ଏହି କେଳେଙ୍କାରୀ ନେଇ ଗାଁ ଲୋକେ ଦୀର୍ଘଦିନ ଧରି ଅନ୍ଧାରରେ ରହିଥିବା ବେଳେ ଫୁଟ ଓଡ଼ିଶା ପୋର୍ଟାଲର ଗାଁ ଲୋକଙ୍କ ଆଖି ଖୋଲି ଦେଇଛି । ଶହ ଶହ ଲୋକଙ୍କ ଶହ ଶହ ଏକର ଜମି ସହ କେନାଲ ଜମି ଓ କାଜୁ ବଗିଚା ଜମିର ପଟାକୁ କିଛି ବ୍ୟକ୍ତିଙ୍କ ନୂଆ କିଣା ଜମି ଦର୍ଶାଇ ଏଭଳି କଳାବଜାରି ଚାଲିଥିବା ଜଣାପଡ଼ିଛି । ସମବାୟ ସମିତି ସମ୍ପାଦକଙ୍କ ସହ ରବି ସାହୁ ମିଶି ଦଶ ଜଚ୍ଚଙ୍କ ନାମରେ ଏକ ହଜାର କ୍ୱୁଣ୍ଟାଲ ଧାନ କିଣା ଦର୍ଶାଇ ୧୮ ଲକ୍ଷ ଟଙ୍କାର ହେରାଫେରୀ କରିଥିବା ନେଇ ଅଭିଯୋଗ ହୋଇଛି । କଂଗ୍ରେସ ପ୍ରାକ୍ତନ ସଭାପତି ରଣଜିତ ଦାଶ ଏବଂ କଂଗ୍ରେସ ନେତା ଫକିର ଚରଣ ମଲ୍ଲଙ୍କ ନେତୃତ୍ୱରେ ଅନେକ ଚାଷୀ ଜିଲ୍ଲାପାଳଙ୍କ ଅଭିଯୋଗ କରିଛନ୍ତି । ଏହି ଘଟଣାର ବିଧିବଦ୍ଧ ତଦନ୍ତ କରାଯାଇ ଆତ୍ମସାତ କରାଯାଇଥିବା ସରକାରୀ ଅର୍ଥକୁ ଜବତ କରାଯିବା ସହ ଦୋଷୀଙ୍କ ବିରୁଦ୍ଧରେ ଫୈାଜଦାରୀ ମକୋଦ୍ଦମା ରୁଜୁ କରିବା ପାଇଁ ଦାବି ହୋଇଛି ।






