ନୟାଗଡ଼,(ବାଘୁଆବାର୍ତ୍ତା): ନୟାଗଡ଼ ଜିଲ୍ଲା ପ୍ରତିଷ୍ଠା ଦିବସ ଆଜି ନୟାଗଡ଼ ଜିଲ୍ଲାପାଳ ଡ. ପୋମା ଟୁଡୁଙ୍କ ଅଧ୍ୟକ୍ଷତାରେ ପାଳିତ ହୋଇଯାଇଛି । ଜୁମ ଆପ ମାଧ୍ୟମରେ ପାଳିତ ଏହି ବୈଠକରେ ମୁଖ୍ୟ ଅତିଥି ଭାବେ ନୟାଗଡ଼ ବିଧାୟକ ତଥା କୃଷି ଓ କୃଷକ ସଶକ୍ତି କରଣ, ମତ୍ସ୍ୟ ଓ ପ୍ରାଣୀ ସଂପଦ ଏବଂ ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ଅରୁଣ କୁମାର ସାହୁ, ଜିଲ୍ଲା ପରିଷଦ ଅଧ୍ୟକ୍ଷା ବୈଜୟନ୍ତି ମାଳା ମହାନ୍ତି, ପ୍ରକଳ୍ପ ନିର୍ଦ୍ଦେଶକ ସୁବାସ ଚନ୍ଦ୍ର ରାୟ ପ୍ରମୂଖ ଯୋଗ ଦେଇଥିଲେ । ଜିଲ୍ଲାରେ ଶିକ୍ଷା, ସ୍ୱାସ୍ଥ୍ୟ ଓ କୃଷି କ୍ଷେତ୍ରରେ ଉନ୍ନତୀ ଘଟିଥିବା ବୈଠକରେ ଜିଲ୍ଲାପାଳ ଟୁଡୁ ପ୍ରକାଶ କରିଛନ୍ତି । ଏଥିସହିତ ଜିଲ୍ଲାବାସୀଙ୍କ ମଧ୍ୟରେ ଭାଇଚାରା ରହିଲେ, ଜିଲ୍ଲାର ଉନ୍ନତୀ ଘଟିବ ବୋଲି ଜିଲ୍ଲାପାଳ କହିଛନ୍ତି । ଏଥିସହିତ ନୟାଗଡ଼ କଲେଜଠାରୁ ଆରମ୍ଭ କରି ବିଦ୍ୟାଳୟ ପର୍ଯ୍ୟନ୍ତ ଶିକ୍ଷା କ୍ଷେତ୍ରରେ ସରକାରଙ୍କ ପକ୍ଷରୁ କରାଯାଇଥିବା ଉନ୍ନତୀ ସଂମ୍ପର୍କରେ ମନ୍ତ୍ରୀ ଡ. ସାହୁ ସୂଚନା ଦେଇଛନ୍ତି । ମହାନଦୀରୁ ଜିଲ୍ଲାବାସୀଙ୍କୁ ପାନୀୟ ଜଳ ଯୋଗାଣ ବ୍ୟବସ୍ଥା ହୋଇଥିବା ସୂଚନା ଦେଇଛନ୍ତି । ପର୍ଯ୍ୟଟନ କ୍ଷେତ୍ରଠାରୁ ଆରମ୍ଭ କରି କ୍ରୀଡ଼ା, କଳା, ସାହିତ୍ୟ ଓ ସଂସ୍କୃତି କ୍ଷେତ୍ରରେ ହୋଇଥିବା ଉନ୍ନତୀ ସଂମ୍ପର୍କରେ ମନ୍ତ୍ରୀ ବକ୍ତବ୍ୟରେ କହିଛନ୍ତି । ଏଥିସହିତ ଜନସାଧାରଣଙ୍କୁ ଆହ୍ୱାନ ଦେଇ ମନ୍ତ୍ରୀ ଆମ ଜିଲ୍ଲାର ଦାୟିତ୍ୱ ଆମେ ନେବା ବୋଲି କହିଛନ୍ତି । ଏହି ବୈଠକରେ ଜିଲ୍ଲାର ଜିଲ୍ଲା ପରିଷଦ, ସରପଞ୍ଚ, ସମିତି ସଭ୍ୟଙ୍କ ସମେତ ୩ ଶହ ବ୍ୟକ୍ତି ଯୋଗ ଦେଇଥିଲେ ।






