ନୟାଗଡ଼, (ବାଘୁଆବାର୍ତ୍ତା) : ଜିଲ୍ଲାରୁ ଆଜି ଚିହ୍ନଟ ହୋଇଥିବା ୬୭ ଜଣ ଆକ୍ରାନ୍ତଙ୍କ ମଧ୍ୟରେ ଦଶପଲ୍ଲା ବ୍ଲକରୁ ସର୍ବାଧିକ କରୋନା ୩୪ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଗଣିଆରୁ ୨ ଜଣ, ନୟାଗଡ଼ ବ୍ଲକରୁ ୧୪ ଜଣ, ଓଡ଼ଗାଁରୁ ୧୨ ଜଣ, ରଣପୁରରୁ ୪ ଜଣ, ନୟାଗଡ଼ ପୈାରାଞ୍ଚଳରୁ ଜଣେ ଆକ୍ରାନ୍ତ ବୋଲି ଜଣାଯାଇଛି । ଜିଲ୍ଲାରେ ପୂର୍ବରୁ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କୁ ମିଶାଇ ମୋଟ ଆକ୍ରାନ୍ତ ସଂଖ୍ୟା ୬୨୮ରେ ପଂହଚିଛି । ଦଶପଲ୍ଲାରୁ ଏତେ ସଂଖ୍ୟକ ଆକ୍ରାନ୍ତ ଚିହ୍ନଟ ପରେ ଆଜି ଜିଲ୍ଲାପାଳ ଡ. ପୋମା ଟୁଡୁ ଦଶପଲ୍ଲା ବିଜ୍ଞାପିତ ଅଂଚଳ ପରିଷଦକୁ ସାତ ଦିନିଆ ସଟ୍ଡାଉନ୍ ଘୋଷଣା କରିଛନ୍ତି । ଏନ୍ଏସିର ୧ରୁ ୧୬ ନଂ ପର୍ଯ୍ୟନ୍ତ ସମସ୍ତ ୱାର୍ଡ଼କୁ ସଟ୍ଡାଉନ୍ ଘୋଷଣା କରାଯାଇଛି । ଏହି ସାତ ଦିନ ପୂରା ଦଶପଲ୍ଲା ଅଂଚଳରେ କୋଭିଡ୍ କଟକଣା କଡ଼ା କଡ଼ି କରିବାକୁ ସେ ସମସ୍ତ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ସଟ୍ଡାଉନ୍ ସମୟରେ କେବଳ ଜାତୀୟ ରାଜପଥରେ ମାଲବାହୀ ଗାଡ଼ି ଚଳାଚଳ କରିବାକୁ ଅନୁମତି ଦିଆଯାଇଥିବା ବେଳେ ଏହି ଅଂଚଳରେ ଥିବା ଔଷଧ ଏବଂ କ୍ଲିନକ୍ ଖୋଲା ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ସେହିଭଳି ପ୍ରେଟୋଲ୍ ପମ୍ପ ଖୋଲା ରହିବାକୁ ଅନୁମତି ରହିଥିବା ବେଳେ ବିବାହ, ବ୍ରତ ଏବଂ ସାମାଜିକ କାର୍ଯ୍ୟକୁ ବାରଣ କରାଯାଇଛି । ଏହି ଅଂଚଳରେ କୈାଣସି ବି ସ୍ଥାନରେ ଗହଳୀ ନକରିବା ପାଇଁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି ।






