ଠାକୁର ଘରେ କିଏ ନାଁ ମୁଁ କଦଳୀ ଖାଇନି
ନୟାଗଡ଼, (ବାଘୁଆବାର୍ତ୍ଥା) : ଫେବୃୟାରୀ ୨୦ ତାରିଖ ଦିନ ବାଘୁଆବାର୍ତ୍ତାରେ ନୟାଗଡ଼ ‘ପୁଲିସ ନାଁରେ ଚୂନ ଲଗାଉଥିବା ସାମ୍ବାଦିକ କିଏ?’ ଶୀର୍ଷକ ଖବର ପ୍ରକାଶ ପାଇବା ପରେ, ସଂପୃକ୍ତ ଦଲାଲ ସାମ୍ବାଦିକର ପିଳେହେ ପାଣି ହୋଇଛି । ସୋସିଆଲ ମିଡିଆରେ ଖବର ଭାଇରାଲ୍ ହେବାର କିଛି ସମୟ ମଧ୍ୟରେ ଏହି ଧୂର୍ତ୍ତ ୧୯ ତାରିଖରେ ଥାନାର ଏକ ମାମଲା ରଫାଦଫା ପାଇଁ ଜଣେ ଅଭିଯୁକ୍ତଠାରୁ ନେଇଥିବା ଦଶ ହଜାର ଟଙ୍କା ଫେରାଇଥିବା ଜଣାଯାଇଛି । ସଂପୃକ୍ତ ଦଲାଲ୍ ବର୍ତ୍ତମାନ ବାଘୁଆବାର୍ତ୍ତା ଉପରେ ରକ୍ତ ଚାଉଳ ଚୋବାଉଥିବା ବେଳେ ପୁଲିସ ଓ ଗଣମାଧ୍ୟମ ନାଁରେ ଏମିତି ଚୂନ ଲଗାଉଥିବା ଘଟଣା ପ୍ରଘଟ ହେବାରୁ ପୁଲିସ ଟାର୍ଗେଟରେ ମଧ୍ୟ ରହିଛି । ଠାକୁର ଘରେ କିଏ ନାଁ କଦଳୀ ଖାଇନି ନୀତିରେ ସଂପୃକ୍ତ ଦଲାଲର ନାମ ବାଘୁଆବାର୍ତ୍ତା ଉଲ୍ଲେଖ କରିନଥିବା ବେଳେ ଘଟଣା ଆଗକୁ କିଛି ଜଟିଳ ପରିସ୍ଥିତି ସୃଷ୍ଟି କରିବା ଭୟରେ ଟଙ୍କା ଫେରାଇଛି । ଏହି ଦଲାଲ ନିଜକୁ ସତୀ ବୋଲାଇବାକୁ ଯାଇ ସବୁ ସାମ୍ବାଦିକଙ୍କ ନାମରେ କଳଙ୍କ ବୋଳିବା ଆରମ୍ଭ କରିଛି । କେବଳ ଏତିକି ନୁହେଁ ଦଲାଲର ସାଥି ଓ ସହଯୋଗୀମାନେ ଏହି ଘଟଣାରେ ମାରଣା ଷଣ୍ଡ ଭଳି ହେଉଥିବା ବଜାରରେ ଦେଖିବାକୁ ମିଳିଛି । ଆଗକୁ ଏହି ଘଟଣା ନୟାଗଡ଼ରେ କିଭଳି ରୂପ ନେଉଛି ତାହା କର୍ତ୍ତବ୍ୟରତ ସାମ୍ବାଦିକ ମହଲର ତୀକ୍ଷ୍ନ ନଜର ରହିଛି । ପୁଲିସ ବିଭାଗ, ଡାକ୍ତରଖାନା ଓ ପରିବହନ କାର୍ଯ୍ୟାଳୟରେ ଦଲାଲି କରୁଥିବା ବ୍ୟକ୍ତିକୁ ଗିରଫ କରୁଥିବା ବେଳେ ଗଣମାଧ୍ୟମର ମୁଖା ପିନ୍ଧି ଦଲାଲି କରୁଥିବା ଏହି ଧୂର୍ତ୍ତକୁ ବାନ୍ଧୁଛି କି ନାହିଁ ତାହା ନୟାଗଡ଼ ବାସୀ ଦେଖିବାକୁ ବାକି ରହିଲା ।






