ନୟାଗଡ଼, (ବାଘୁଆବାର୍ତ୍ତା): ଏକ ବନ୍ଧୁତ୍ୱପୂର୍ଣ୍ଣ କ୍ରିକେଟ ମ୍ୟାଚରେ ସଂଘର୍ଷ କରି ଜିଲ୍ଲାପାଳ ଏକାଦଶଠାରୁ ଦୁଇ ୱିକେଟରେ ହାରିଲା ଶିକ୍ଷକ ଏକାଦଶ । ସ୍ଥାନୀୟ ଖେଳପଡ଼ିଆରେ ଅନୁଷ୍ଠିତ ଏହି ମ୍ୟାଚରେ ଶିକ୍ଷକ ଏକାଦଶ ପକ୍ଷରୁ ଅଧିନାୟକତ୍ୱ କରୁଥିବା ଲକ୍ଷ୍ମୀଧର ସାହୁ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତି ନେଇଥିଲେ । ତେବେ ପ୍ରାରମ୍ଭିକ ବ୍ୟାଟିଂ ବିପର୍ଯୟ ଯୋଗୁଁ କ୍ରମାଗତ ଭାବେ ୱିକେଟ ହରାଇ ଚାଲିଥିଲା ଶିକ୍ଷକ ଏକାଦଶ । ଦଳ ପକ୍ଷରୁ ପ୍ରଶାନ୍ତ ସର୍ବାଧିକ ୧୫ ରନ କରିଥିବା ବେଳେ ଅନ୍ୟ କୌଣସି ବ୍ୟାଟସମ୍ୟାନ ଦୁଇ ଅଙ୍କ ଛୁଇଁ ପାରିନଥିଲେ । ଫଳରେ ନିର୍ଦ୍ଧାରିତ ୧୨ ଓଭରରେ ଶିକ୍ଷକ ଏକାଦଶ ୮ ୱିକେଟ ହରାଇ ମାତ୍ର ୬୪ ରନ କରିବାକୁ ସକ୍ଷମ ହୋଇଥିଲା । ଜିଲ୍ଲାପାଳ ଏକାଦଶ ପକ୍ଷରୁ ଜିତେନ୍ଦ୍ର ନାୟକ ୩୨ ରନଦେଇ ସର୍ବାଧିକ ୫ଟି ୱିକେଟ ହାସଲ କରିଥିଲେ । ଏହାର ପ୍ରତିବଦଳରେ ଜିଲ୍ଲାପାଳ ଏକାଦଶ ପକ୍ଷରୁ ଚିତ୍ତରଂଜନ ପ୍ରଥମ ଓଭରରେ ୩ଟି ଚୌକା ମାରି ଦଳ ପକ୍ଷରୁ ଭଲ ପ୍ରାରମ୍ଭିକ ରନ ସଂଗ୍ରହ କରିଥିବା ବେଳେ ମାତ୍ର ୧୩ ରନରେ ଆଉଟ ହୋଇଯାଇଥିଲେ । ଏହାପରେ ଜିଲ୍ଲାପାଳ ଏକାଦଶ କ୍ରମାଗତଭାବେ ୱିକେଟ ହରାଇ ଚାଲିଥିବା ବେଳେ ଦଳ ପକ୍ଷରୁ ଅବିନାଶ କୁମାର ୪ର୍ଥ ୱିକେଟରେ ବ୍ୟାଟିଂ କରିବାକୁ ଆସି ଧୈର୍ଯ୍ୟପୂର୍ଣ୍ଣ ୨୦ ରନ କରିବା ସହ ୨ଟି ଛକା ମାରି ମ୍ୟାଚକୁ ଜିତାଇବାରେ ପ୍ରମୁଖ ଭୂମିକା ନେଇଥିଲେ । ଶିକ୍ଷକ ଏକାଦଶ ପକ୍ଷରୁ ସାଗର ନାୟକ ୧୭ ରନ ଦେଇ ୪ଟି ମୂଲ୍ୟବାନ ୱିକେଟ ହାସଲ କରିଥିଲେ । ଜିଳ୍ଲାପାଳ ଏକାଦଶ ପକ୍ଷରୁ ନିହାର ରଂଜନ ବେହେରା ଅଧିନାୟକତ୍ୱ କରିଥିବା ବେଳେ ଜିଲ୍ଲା କ୍ରିକେଟ ଆସୋସିଏସନ ମ୍ୟାନେଜର ସତ୍ୟଜ୍ୟୋତି ମହାନ୍ତି ଏବଂ ଶିକ୍ଷକ ଅଶୋକ ମଲ୍ଲ ମ୍ୟାଚ ପରିଚାଳନା କରିଥିଲେ । ଆଜିର ଏହି ମ୍ୟାଚକୁ ମୁଖ୍ୟ ଅତିଥିଭାବେ ସମାଜସେବୀ ପ୍ରମୋଦ ପଟ୍ଟନାୟକ ଯୋଗଦାନ କରିଥିବା ବେଳେ ଜିଲ୍ଲା କ୍ରିକେଟ ଆସୋସିଏସନ ସଂପାଦକ ସଂଗ୍ରାମ ଗୁମାନସିଂ, ନୟାଗଡ଼ ତହସିଲଦାର ଭିକାରୀ ସାହୁ, ଅତିରିକ୍ତ ବ୍ଲକ ଶିକ୍ଷାଧିକାରୀ ଧନେଶ୍ୱର ସେଠୀ ପ୍ରମୁଖ ଅତିଥିଭାବେ ଯୋଗଦାନ କରି ମ୍ୟାଚ ଉପଭୋଗ କରିଥିଲେ ।






