ନୟାଗଡ଼, (ବାଘୁଆବାର୍ତ୍ତା) : ନୟାଗଡ଼ ଜିଲ୍ଲା ସିପିଆଇଏମ୍ ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସାମନାରେ ବିକ୍ଷୋଭ ପଦର୍ଶନ କରାଯାଇଛି । ସେହିଭଳି ଶରଣକୂଳଠାରେ ଆଞ୍ଚଳକି କମିଟି ପକ୍ଷରୁ ବିକ୍ଷୋଭ ପଦର୍ଶନ କରାଯାଇଥିବା ଜଣାଯାଇଛି । ସୂଚନାନୁସାରେ, କମ୍ୟୁନିଷ୍ଟ ନେତା ବିଶ୍ୱନାଥ ମହାପାତ୍ରଙ୍କ ନେତୃତ୍ୱରେ ଆଜି ନୟାଗଡ଼ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ନିକଟରେ ବିକ୍ଷୋଭ ପଦର୍ଶନ କରାଯାଇଥିବା ବେଳେ ୧୨ ଦଫା ଦାବିପତ୍ର ଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀ ନିକଟକୁ ପଠାଯାଇଛି । ନୟାଗଡ଼ ଜିଲ୍ଲାର ସ୍ୱପ୍ନ ବୃତଙ୍ଗ ଜଳସେଚନ ଯୋଜନାର ସର୍ବେକ୍ଷଣ କାର୍ଯ୍ୟ ସମାପ୍ତ ହୋଇ ପରିବେଶ ମଂଜୁରୀ ପ୍ରାପ୍ତ ହୋଇଛି । ତେଣୁ ଏହି ପ୍ରକଳ୍ପ କାର୍ଯ୍ୟ ହାତକୁ ନେଇ ଲକ୍ଷ ଲକ୍ଷ ଲୋକଙ୍କ କୃଷି ଓ ଶ୍ରମ ଭିତ୍ତିକ କାର୍ଯ୍ୟକୁ ସୁନିଶ୍ଚିତ କରାଯାଉ । ନୟାଗଡ଼ର ତାଲା ବନ୍ଦ ଚିନିକଳକୁ କାର୍ଯ୍ୟକ୍ଷମ କରାଯାଉ । ପଦ୍ମାବତୀଠାରେ ମହାନଦୀରେ ବ୍ୟାରେଜ ନିର୍ମାଣ କରାଯାଉ । ଜିଲ୍ଲାରେ ବ୍ୟାପକ ବନଜାତ ଦ୍ରବ୍ୟ ରହିଥିବା ବେଳେ ଏକ କାଗଜକଳ ପ୍ରତିଷ୍ଠା କରାଯାଉ । ଖୋର୍ଦ୍ଧା ବଲାଙ୍ଗିରୀ ରେଳପଥର ନିର୍ମାଣ କାର୍ଯ୍ୟକୁ ତ୍ୱାରାନ୍ୱିତ କରିବା ନେଇ ମଧ୍ୟ ଦାବି କରାଯାଇଛି । ଜିଲ୍ଲାରେ ଖାଦ୍ୟ ପ୍ରକିୟାକରଣ ଶିଳ୍ପର ପ୍ରତିଷ୍ଠା ଏବଂ ଚାଷୀଙ୍କ ପାଇଁ ଶୀତଳ ଭଣ୍ଡାର ପ୍ରତିଷ୍ଠା କରିବା ନେଇ ମଧ୍ୟ ଦାବି କରାଯାଇଛି । ସେହିଭଳି ପଶୁପାଳନ, ମତ୍ସ୍ୟ ଚାଷ ଏବଂ ଉଦ୍ୟାନ କୃଷିର ବିକାଶ ଏବଂ ଜିଲ୍ଲାରେ ଧାନକ୍ରୟ ମଣ୍ଡିକୁ ସୁବ୍ୟବସ୍ଥିତ କରିବା ନେଇ ଦାବି କରାଯାଇଛି । ଜିଲ୍ଲାର ପର୍ଯ୍ୟଟନ କ୍ଷେତ୍ରର ବିକାଶ ପାଇଁ ବାସ୍ତବାଭିମୁଖୀ ପଦକ୍ଷେପ ନିଆଯାଉ ବୋଲି ଦାବି କରାଯାଇଛି । ଏହି ବିକ୍ଷୋଭ ସମାବେଶରେ କାଳୁ ସ୍ୱାଇଁ, ଏସ୍ଏ କରିମ୍, ପବିତ୍ର ଇନ୍ଦ୍ରଜାତ୍ ପ୍ରମୂଖ ସାମିଲ ହୋଇଥିଲେ । ସେହିଭଳି କମ୍ୟୁନିଷ୍ଟ ନେତା ଗୋଲଖ ବିହାରୀ ମୁଦୁଲୀଙ୍କ ନେତୃତ୍ୱରେ ଶରଣକୂଳଠାରେ ବିକ୍ଷୋଭ ପଦର୍ଶନ କରାଯିବା ସହ ୧୨ ଦଫା ଦାବି ଉପସ୍ଥାପନ କରାଯାଇଛି । କରୋନା ଏବଂ ଲକ୍ଡାଉନ୍ ସମସ୍ୟାକୁ ନେଇ ଏହି ୧୨ ଦଫା ଦାବି ସରକାର ମାନିବା ଆବଶ୍ୟକ ବୋଲି ମତ ପ୍ରକାଶ ପାଇଛି । ଏହି ବିକ୍ଷୋଭ ସମାବେଶରେ ସରୋଜ ନାୟକ, ଆଲୋକ ପ୍ରଧାନ, ବିଭୂତି ପଟ୍ଟନାୟକ, ଜ୍ୟୋତି ପ୍ରଭା ଜେନା, ଧିରେନ ପାତ୍ର ପ୍ରମୂଖ ନେତୃତ୍ୱ ନେଇଥିଲେ । ସେହିଭଳି ଦଶପଲ୍ଲା ତହସିଲ କାର୍ଯ୍ୟାଳୟ ସାମନାରେ ଆଜି ବିକ୍ଷୋଭ ପଦର୍ଶନ କରାଯାଇଛି ।






