ନୟାଗଡ଼,(ବାଘୁଆବାର୍ତ୍ତା): ନୟାଗଡ଼ ଜିଲ୍ଲାରେ କରୋନା ମହାମାରୀ କାୟା ମେଲାଇ ଚାଲିଥିବା ବେଳେ ଅମାନିଆଙ୍କ ସଂଖ୍ୟା ମଧ୍ୟ ବଢ଼ି ଚାଲିଛି । ରଣପୁର ଅଂଚଳରେ କୋଭିଡ୍ ଆଇନକୁ ଅଣଦେଖା ବିଭିନ୍ନ ପ୍ରକାର ବ୍ୟବସାୟ ଚାଲିଥିବା ନେଇ ଅଭିଯୋଗ ଆସିବା ପରେ ଆଜି ଉପଜିଲ୍ଲାପାଳ ଲଗ୍ନଜିତ ରାଉତଙ୍କ ନେତୃତ୍ୱରେ ସ୍ପେଶାଲ୍ ସ୍ୱାର୍ଡ଼ ଟିମ୍ ଚଢ଼ାଉ କରିଥିଲେ । ନୟାଗଡ଼ ତହସିଲଦାର୍ ଭିକାରୀ ସାହୁ, ଏସ୍ଆଇ ଧର୍ମେନ୍ଦ୍ର ଶିଆଳଙ୍କ ସହ ପୁଲିସ କର୍ମଚାରୀମାନେ ଚଢ଼ାଉ ସମୟରେ କୋଭିଡ୍ ଆଇନକୁ ଅଣଦେଖା କରାଯାଉଥିବା ଦେଖି ବିଭିନ୍ନ ସ୍ଥାନରୁ ୧୮ ହଜାର ଟଙ୍କା ଜୋରିମାନା ଆଦାୟ କରିବା ସହ ଏକ ମସଲା ଦୋକାନାକୁ ସିଲ୍ କରି ଦେଇଥିବା ଜଣାଯାଇଛି । ସୂଚନାନୁସାରେ, ଆଜି ରଣପୁର ବଜାରରେ ଚଢ଼ାଉ ସମୟରେ ଏକ ମସଲା ଦୋକାନରେ କୋଭିଡ୍ ଆଇନ ଉଲଂଘନ କରାଯାଇଥିବା ଦେଖା ଯାଇଥିଲା । ଏହି ମସଲ ଦୋକାନକୁ ସିଲ କରାଯାଇଥିବା ବେଳେ ହୋଟେଲ ପ୍ରଶାନ୍ତ ଅଣ୍ଡରଗ୍ରାଉଣ୍ଡରେ ୨୦ରୁ ଉର୍ଦ୍ଧ୍ୱ ଲୋକ ବସି ମଦ୍ୟପାନ କରୁଥିଲେ । ସ୍ପେଶାଲ୍ ସ୍ୱାର୍ଡ଼କୁ ଦେଖି ହୋଟେଲ୍ କର୍ମଚାରୀ ଉକ୍ତ ଅଣ୍ଡରରାଉଣ୍ଡ କବାଟ ବନ୍ଦ କରି ଦେଇଥିବା ବେଳେ ଏସ୍ଆଇ ଶିଆଳ କବାଟ ଭାଙ୍ଗି ତାହା ଭିତରେ ଥିବା ଲୋକଙ୍କ ବାହାରକୁ ବାହାର କରିବା ସହ ଅନେକ ପରିମାଣର ମଦ ଜବତ କରିଛନ୍ତି । ଏହି ପ୍ରଶାନ୍ତ ହୋଟେଲ୍କୁ ୧୦ ହଜାର ଟଙ୍କା ଜୋରିମାନା କରାଯାଇଥିବା ବେଳେ ଜବତ ମଦକୁ ରଣପୁର ଥାନା ଜିମା ଦିଆଯାଇଥିବା ଜଣାଯାଇଛି । ସେହିଭଳି ରଣପୁର ଅଂଚଳର ଅନ୍ୟ ଦୁଇ ହୋଟେଲକୁ ୩ ହଜାର ଲେଖାଁଏ ଜୋରିମାନା କରାଯାଇଥିବା ବେଳେ ମୋଟ ଆଜି ୧୮ ହଜାର ଜୋରିମାନା ଆଦାୟ କରାଯାଇଥିବା ଜଣାଯାଇଛି । ସ୍ପେଶାଲ୍ ସ୍ୱାର୍ଡ଼ ଚଢ଼ାଉ ପରେ ରଣପୁର ଅଂଚଳରେ ଆତଙ୍କ ସୃଷ୍ଟି ହୋଇଛି । କୋଭିଡ୍ ଆଇନ ଉଲଂଘନ କରି ବ୍ୟବସାୟ କରୁଥିବା ବ୍ୟବସାୟୀଙ୍କ ମଧ୍ୟରେ ଛନକା ସୃଷ୍ଟି ହୋଇଛି ।





