ନୟାଗଡ଼,(ବାଘୁଆବାର୍ତ୍ତା ବ୍ୟୁରୋ): ନୟାଗଡ଼ ଜିଲ୍ଲା କଂଗ୍ରେସ ପକ୍ଷରୁ କଚେରିବଜାର ଦୁର୍ଗାମଣ୍ଡପ ଠାରେ କେନ୍ଦ୍ରର ବିଜେପି ସରକାର ଓ ରାଜ୍ୟର ବିଜେଡି ସରକାର ବିରୁଦ୍ଧରେ ବିକ୍ଷୋଭ, ଧାରଣା ଓ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଯାଇଛି । ଉଭୟ ସରକାରଙ୍କର ଶ୍ରମିକମାରଣ ନୀତି, ଖାଦ୍ୟ ସାମଗ୍ରୀର ଅହେତୁକ ମୂଲ୍ୟବୃଦ୍ଧି, ବେକାରୀ ସମସ୍ୟା ଓ ଆର୍ଥିକ ମାନ୍ଦାବସ୍ଥା ବିରୁଦ୍ଧରେ ଏହି ସଭା ଅନୁଷ୍ଠିତ ହୋଇଛି । ସାଧାରଣ ବଜାରରେ ପିଆଜ, ଟମାଟ ଭଳି ଅତି ଆବଶ୍ୟକ ସାମଗ୍ରୀର ମୂଲ୍ୟବୃଦ୍ଧି ସମସ୍ତଙ୍କୁ କଷ୍ଟ ଦେଇଛିବୋଲି ବକ୍ତାମାନେ ବକ୍ତବ୍ୟ ରଖିଛନ୍ତି । କୃଷକମାନେ କିପରି ବିଭିନ୍ନ ବ୍ୟାଙ୍କ ଋଣରେ ବୁଡି ରହୁଛନ୍ତି ଏବଂ ଚାଷୀ ଆତ୍ମହତ୍ୟା, କୃଷକଙ୍କୁ ସଠିକ୍ ବଜାର ଦର ନମିଳିବା ଇତ୍ୟାଦି ବିରୁଦ୍ଧରେ ଜିଲ୍ଲା କଂଗ୍ରେସ ପକ୍ଷରୁ ଜିଲ୍ଲାପାଳଙ୍କ ଜରିଆରେ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରାଯିବ । ଆଜିର ଏହି ସଭାରେ ଜିଲ୍ଲା କାର୍ଯ୍ୟକାରୀ ସଭାପତି ହୁସେନ୍ ଖାଁ, ନୟାଗଡ଼ ବିଧାନସଭା ନିର୍ବାଚନ ମଣ୍ଡଳୀର ବିଧାୟକ ପ୍ରାର୍ଥୀ ମନୋଜ କୁମାର ସାହୁ, ରଣପୁର ବିଧାୟକ ପ୍ରାର୍ଥୀ ଶୁଭଶ୍ରୀ ପଣ୍ଡା, ବସନ୍ତ କୁମାର ମହାରଣା ପ୍ରମୁଖ ଉପସ୍ଥିତ ଥିଲେ ।





