ନୟାଗଡ଼, (ବାଘୁଆବାର୍ତ୍ତା): ନୟାଗଡ଼ ସ୍ୱୟଂ ଶାସିତ ମହାବିଦ୍ୟାଳୟ ଅଧ୍ୟକ୍ଷଙ୍କୁ ମାଡ଼ ଘଟଣା ଭିନ୍ନ ଋପ ଧାରଣ କରିଛି । ମହାବିଦ୍ୟାଳୟର ସମସ୍ତ ଅଧ୍ୟାପକ, ଅଧ୍ୟାପିକା ଓ ଅଣଶିକ୍ଷା କର୍ମଚାରୀ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଆସି ଅତିରିକ୍ତ ଜିଲ୍ଲାପାଳ ରୋଜିନା ଦାଶଙ୍କୁ ଫେରାଦ ହୋଇଥିଲେ । ଓଡ଼ିଆ ଅଧ୍ୟାପକଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ହୋଇନଥିବାରୁ ସମସ୍ତ କର୍ମଚାରୀ ଆଜିଠାରୁ କାର୍ୟ୍ୟବନ୍ଦ ଆନ୍ଦୋଳନ କରିବେ ବୋଲି ଲିଖିତ ଭାବେ ଜଣାଇଛନ୍ତି । ମହାବିଦ୍ୟାଳୟରେ ଗତ ୩୦ ତାରିଖ ଅଧ୍ୟକ୍ଷ ବିପିନ କୁମାର ପଟ୍ଟନାୟକ ଓ ଓଡ଼ିଆ ଅଧ୍ୟାପକ ବାନାମ୍ବର ପୃଷ୍ଟିଙ୍କ ମଧ୍ୟରେ ବଚସା ହୋଇଥିଲା । ଏକ ଜରୁରୀ କାଗଜରେ ଓଡ଼ିଆ ଅଧ୍ୟାପକ ଅଧ୍ୟକ୍ଷଙ୍କ ଦସ୍ତଖତ ପକାଇଥିବା କାରଣରୁ ତାଙ୍କୁ ଓଡ଼ିଆ ବିଭାଗ ସଂଯୋଜକ ପଦରୁ ଅଧ୍ୟକ୍ଷ ବିଦା କରିଥିଲେ । ଯାହାକୁ ନେଇ ଓଡ଼ିଆ ଅଧ୍ୟାପକ ବଚସା କରିବା ସହ ଅଧ୍ୟକ୍ଷଙ୍କୁ ଏକ ଶକ୍ତ ଚାପୁଡ଼ା ପକାଇଥିଲେ । ଏହାକୁ ନେଇ ଉକ୍ତ ଦିନ ଷ୍ଟାଫ କାଉନସିଲ ବୈଠକ ବସିବା ସହ ଘଟଣା ସମ୍ପର୍କରେ ଜିଲ୍ଲାପାଳ, ଉଚ୍ଚଶିକ୍ଷା ବିଭାଗକୁ ଅବଗତ କରାଯାଇଥିଲା । ତା ସହିତ ଅଧ୍ୟକ୍ଷ ଏହି ଘଟଣାକୁ ନେଇ ଥାନାରେ ଏତଲା ଦେଇଥିଲେ । ଟାଉନଥାନା ପୁଲିସ ମାମଲା ରୁଜୁ କରି ଓଡ଼ିଆ ଅଧ୍ୟାପକଙ୍କୁ ଥାନାରେ ହାଜର ପାଇଁ ନୋଟିସ କରିଥିଲେ । ଏହାକୁ ଅଣଦେଖା କରି ଅଧ୍ୟାପକ କୋର୍ଟରେ ଆତ୍ମ ସମର୍ପଣ କରି ଜାମିନ ପାଇଥିଲେ । ଘଟଣାକୁ ନେଇ ଉଚ୍ଚ ଶିକ୍ଷା ବିଭାଗ ଆଞ୍ଚଳିକ ସହକାରୀ ନିର୍ଦ୍ଦେଶକ ନୟାଗଡ଼ ସ୍ୱୟଂ ଶାସିତ ମହାବିଦ୍ୟାଳୟକୁ ଆସି ତଦନ୍ତ ମଧ୍ୟ କରିଥିଲେ । ମହାବିଦ୍ୟାଳୟ ଅଧ୍ୟାପକ ଓ ଅଧ୍ୟାପିକାଙ୍କ ସହ ଆଲୋଚନା କରିବା ସହ ଓଡ଼ିଆ ଅଧ୍ୟାପକଙ୍କ ନାମରେ ରହିଥିବା ପୁରୁଣା ଅଭିଯୋଗକୁ ଶୁଣିଥିଲେ । ଏନେଇ ଉଚ୍ଚ ଶିକ୍ଷା ବିଭାଗ କୈାଣସି ପଦକ୍ଷେପ ଗ୍ରହଣ କରିନଥିବାରୁ ନୟାଗଡ଼ ସ୍ୱୟଂ ଶାସିତ ମହାବିଦ୍ୟାଳୟ ଶତାଧିକ ଶିକ୍ଷା ଓ ଅଣଶିକ୍ଷା କର୍ମଚାରୀ ଜିଲ୍ଲାପାଳଙ୍କ କାର୍ୟ୍ୟାଳୟରେ ପହଞ୍ଚିଥିଲେ । ଜିଲ୍ଲାପାଳଙ୍କ ଅନୁପସ୍ଥିତିରେ ଅତିରିକ୍ତ ଜିଲ୍ଲାପାଳ ରୋଜିନା ଦାଶଙ୍କୁ ଆନ୍ଦୋଳନ ସମ୍ପର୍କରେ ଲିଖିତ ଭାବେ ଅବଗତ କରିଥିବା ଜଣାପଡ଼ିଛି । ଆଜି ମହାବିଦ୍ୟାଳୟ କର୍ମଚାରୀମାନେ ଆନ୍ଦୋଳନ କରିଛନ୍ତି । ଏହି ଘଟଣା ଏକ ସମ୍ବେଦନଶୀଳ ଘଟଣା ହୋଇଥିବା ବେଳେ ନୟାଗଡ଼ ସ୍ୱୟଂ ଶାସିତ ମହାବିଦ୍ୟାଳୟର ଶିକ୍ଷା ବ୍ୟବସ୍ଥାକୁ ସମ୍ପୂର୍ଣ୍ଣ ଅବ୍ୟବସ୍ଥିତ କରିଛି । ଅଧ୍ୟକ୍ଷ ଓ ଅଧ୍ୟାପକ ବିବାଦ ନୟାଗଡ଼ ଜିଲ୍ଲାରେ ଭିନ୍ନ ବାତବାରଣ ସୃଷ୍ଟି କରିଛି । ଜିଲ୍ଲା ପ୍ରଶାସନ ତ୍ୱରିତ ପଦକ୍ଷେପ ଗ୍ରହଣ କରିବା ଆବଶ୍ୟକ ବୋଲି ମତ ପ୍ରକାଶ ପାଇଛି ।





