ଲୋକଙ୍କ ସରକାରରେ ଲୋକଙ୍କ ସହ କଥା ହୋଇ ସମସ୍ୟା ବୁଝିଲେ
ନୟାଗଡ଼, (ବାଘୁଆବାର୍ତ୍ତା): ନୟାଗଡ଼ ଜିଲ୍ଲାପାଳ ଅକ୍ଷୟ ସୁନିଲ ଅଗ୍ରୱାଲ l ସହରର ଚାକଚକ୍ୟ ଛାଡ଼ି ଗାଁ ମୁଁହା ହୋଇ ସରକାରୀ ଯୋଜନା ପହଞ୍ଚାଇବା ନୟାଗଡ଼ ଜିଲ୍ଲାପାଳ ଆଦିବାସୀ ଅଧ୍ୟୁଷିତ ଗାଁରେ ଯାଇ ଲୋକଙ୍କ ସହ ଆଲୋଚନା କରିଛନ୍ତି l ବିଭିନ୍ନ ସମସ୍ୟା ସଂପର୍କରେ ବୁଝିବା ସହ ସରକାରୀ ଯୋଜନା ଲୋକଙ୍କ ପାଖରେ କେମିତି ପହଞ୍ଚିବ ସେ ନେଇ ମଧ୍ୟ ଆଲୋଚନା କରିଛନ୍ତି ଜିଲ୍ଲାପାଳ l ନୂଆଗାଁ ବ୍ଲକ ଅନ୍ତର୍ଗତ ଆଦିବାସୀ ବହୁଳ ଜାକେଡା ପଂଚାୟତର ତୁକୁଡା ଓ ବଡଜିର ଗ୍ରାମ। ତୁକୁଡା ଗ୍ରାମରେ ୨୭ ପରିବାର ଏବଂ ବଡଜିର ଗ୍ରାମରେ ୧୮ ପରିବାର ବସବାସ କରୁଛନ୍ତି। ଆଜି ପର୍ଯ୍ୟନ୍ତ ଏହି ଦୁଇଗ୍ରାମକୁ ବିକାଶ ଛୁଇଁ ପାରିନାହିଁ। ଶିକ୍ଷା, ସ୍ବାସ୍ଥ୍ୟ, ଗମନାଗମନ ଓ ନେଟୱର୍କ ଭଳି ଗୁରୁତ୍ବପୂର୍ଣ୍ଣ ସମସ୍ୟା ଏଠାରେ ମୁଣ୍ତ ଟେକିଛି।

ଗ୍ରାମବାସୀଙ୍କ ମୁହଁରୁ ଅନେକ ଅଭିଯୋଗ ଶୁଣିବାକୁ ମିଳୁଛି। ସବୁ ଅଭିଯୋଗ ଗୁଡିକ ମଧ୍ୟରୁ ରାସ୍ତା ସମସ୍ୟା ହେଉଛି ମୁଖ୍ୟ ସମସ୍ୟା। ରାସ୍ତା ସମସ୍ୟା ଲାଗି ଜରୁରୀକାଳୀନ ସେବାରୁ ବଂଚିତ ହେଉଛନ୍ତି ଲୋକମାନେ। ନୂଆଗାଁ ବ୍ଲକ ବିଡିଓ ଡ. ଅମୃତ କୁମାର ରାଉଳ ଗତ ଡିସେମ୍ବର ମାସରେ ଏହି ଦୁଇ ଗ୍ରାମରେ ବିଭାଗୀୟ କର୍ମଚାରୀ ମାନଙ୍କୁ ନେଇ ପହଂଚିଥିବା ବେଳେ ଆଜି ନୟାଗଡ଼ ଜିଲ୍ଲାପାଳ ଅକ୍ଷୟ ସୁନୀଲ ଅଗ୍ରୱାଲ ପହଂଚିଥିଲେ।

ଦୁର୍ଗମ ଅଂଚଳରେ ଜିଲ୍ଲାପାଳଙ୍କୁ ଦେଖି ସ୍ଥାନୀୟ ଗ୍ରାମବାସୀ ମାନେ ଯେତିକି ଆନନ୍ଦିତ, ସେମାନଙ୍କର ଅଭିଯୋଗ ଜଣାଇବା ପାଇଁ ସେତିକି ମାତ୍ରାରେ ବ୍ୟାକୁଳ ରହିଥିଲେ। ରାସ୍ତା, ବିଦ୍ୟୁତ, ଭତା, ପାନୀୟ ଜଳ, ପୋଖରୀ ଭଳି ଆହୁରି ଅନେକ ମୌଳିକ ସମସ୍ୟାର ସମାଧାନ ପାଇଁ ଲୋକମାନେ ଜିଲ୍ଲାପାଳଙ୍କୁ ଜଣାଇଥିଲେ। ଲୋକମାନଙ୍କ ଠାରୁ ଅଭିଯୋଗ ଶୁଣିବା ପରେ ସମସ୍ୟାର ସମାଧାନ କରିବା ପାଇଁ ଜିଲ୍ଲାପାଳ ପ୍ରତିଶ୍ରୃତି ଦେଇଥିଲେ। ଜିଲ୍ଲାପାଳଙ୍କ ସମେତ ନୂଆଗାଁ ବ୍ଲକ ବିଡିଓ ଡ଼ ଅମୃତ କୁମାର ରାଉଳ, କନିଷ୍ଠ ଯନ୍ତ୍ରୀ ନେତ୍ରରଞ୍ଜନ ମିଶ୍ର, ପଂଚାନନ ବିଶୋଇ, ଦୀପକ ରଞ୍ଜନ ରାଉତ, ଜିପିଡିଓ ଲାଲ ବାହାଦୂର ରଞ୍ଜିତ, ଡବ୍ଲୁଇଓ ଯଜ୍ଞେଶ୍ବର ନାୟକ, ସିଡିପିଓ ଶୁଭ୍ରକେଶୀ ମଲ୍ଲିକ, ଏପିଓ ଅମରେନ୍ଦ୍ର ସାହୁ ପ୍ରମୁଖ ଉପସ୍ଥିତ ରହିଥିଲେ।





