ନୟାଗଡ, (ବାଘୁଆବାର୍ତ୍ତା): ଜାତୀୟ ଶ୍ରମିକ ସଂଗଠନ ସିଆଟିୟୁର ୫୦ ତମ ପ୍ରତିଷ୍ଠା ଦିବସ ଶରଣକୂଳଠାରେ ସାମାଜିକ ଦୂରତା ଅବଲମ୍ବନ କରି ପାଳନ କରାଯାଇଛି । ସଂଗଠନର ଜିଲ୍ଲା ସଭାପତି ବିଶ୍ୱନାଥ ମହାପାତ୍ର ପତାକା ଉତ୍ତୋଳନ କରି ସାଂପତ୍ରିକ କରୋନା ସଂକ୍ରମଣ ପରିସ୍ଥିତିରେ ଉପୁଜୁଥିବା ଅଭାବନୀୟ ସ୍ଥିତି ଉପରେ ଆଲୋକ ପାତ କରିଥିଲେ । ଶ୍ରମିକ ଶ୍ରେଣୀର ଲୋକମାନେ ନାହିଁ ନଥିବା ସଂକଟ ଦେଇ ମୁକାବିଲା କରୁଛନ୍ତି । ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାରେ ଆବଶ୍ୟକୀୟ କର୍ମ ଦିବ ସୃଷ୍ଟି କରିବା ଓ ଶ୍ରମିକମାନଙ୍କ ମଜୁରୀକୁ ୭୫୦ ଟଙ୍କାକୁ ବୃଦ୍ଧି କରିବା, ଦାଦନ ଶ୍ରମିକ ସ୍ରୋତକୁ ଜବତ କରିବା, କୃଷି ବ୍ୟବସ୍ଥାରେ ସଂସ୍କାର ଆଣି ଫସଲର ଲାଭ ଜନକ ଦର ସହିତ କୃଷି କ୍ଷେତ୍ରକୁ ଆକର୍ଷଣୀୟ କରିବା କ୍ଷେତ୍ରରେ ଗୁରୁତ୍ୱ ଦେଇଥିଲେ । ଶୀତଳ ଭଣ୍ଡାର ଖୋଲି ପନି ପରିବା ଚାଷୀଙ୍କୁ ଉତ୍ସାହିତ କରିବା, ଆଠ ଘଣ୍ଟା ବଦଳେ ବାର ଘଣ୍ଟିଆ କର୍ମ ଦିବସ ନିଷ୍ପତ୍ତି ପ୍ରତ୍ୟାହାର କରିବା ଉପରେ ଆହ୍ୱାନ ଦେଇଥିଲେ । ଶ୍ରମିକ ନେତା ପବିତ୍ର ଇନ୍ଦ୍ରଜିତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ କୃଷକ ନେତା ଗୋଲଖ ବିହାରୀ ମୁଦୁଲି, ସରୋଜ ନାୟକ, ଆଲୋକ ପ୍ରଧାନ, ଧିରେନ ପାତ୍ର, ନାରୀ ନେତ୍ରୀ ଜ୍ୟୋତିପ୍ରଭା ଜେନା ପ୍ରମୂଖ ଯୋଗ ଦେଇଥିଲେ ଶ୍ରମିକ ଓ କୃଷଙ୍କ ପାଇଁ ବକ୍ତବ୍ୟ ରଖିଥିଲେ ।






