ନୟାଗଡ଼, (ବାଘୁଆବାର୍ତ୍ତା): ସାରା ଦେଶରେ କରୋନାକୁ ନେଇ ସାମାଜିକ କାର୍ଯ୍ୟକୁ ବାରଣ କରାଯାଇଥିବା ବେଳେ ଏଭଳି ସମୟରେ ଲୁଚାଛପାରେ ନାବାଳିକା ବିବାହ ଚାଲିଥିବା ଜଣାଯାଇଛି । ଖବରପାଇ ନୟାଗଡ଼ ଚାଇଲ୍ଡ ଲାଇନ୍ ଏବଂ ବାଲ୍ୟ ବିବାହ ନିରାକରଣ ଅଧିକାରୀ ଏବଂ ପୁଲିସ ମିଳିତ ଚଢ଼ାଉ କରି ବିବାହକୁ ଅଟକାଇଥିବା ଜଣାଯାଇଛି । ଶନିବାର ରଣପୁର ବ୍ଲକର ଜଣେ ନାବାଳିକା ସହ ତାଙ୍କ ଗ୍ରାମର ଜଣେ ସୁରଟରେ କାମ କରୁଥିବା ଜଣେ ଯୁବକଙ୍କ ବାହାଘର କରାଯିବା ପାଇଁ ପ୍ରସ୍ତୁତି ଚଳାଇଥିବା ବେଳେ ଚାଇଲ୍ଡ ଲାଇନ ଓ ପ୍ରଶାସନ ପକ୍ଷରୁ ବିବାହକୁ ରୋକା ଯାଇଛି । ନାବାଳିକାଙ୍କ ପିତାମାତାଙ୍କ ସହିତ ଗ୍ରାମ ମୁଖିଆ ଏବଂ ସରପଂଚଙ୍କ ଦ୍ୱାରା ଏକ ଚୁକ୍ତିପତ୍ର କରାଯାଇ ବିବାହକୁ ଅଟକା ଯାଇଥିବା ଜଣାଯାଇଛି । ସବୁଠାରୁ ଆଶ୍ଚର୍ଯ୍ୟ କଥା ହେଉଛି, ବିବାହ ପାଇଁ ପ୍ରସ୍ତୁତି ଚାଲିଥିବା ନାବାଳିକାଙ୍କୁ ୧୭ ବର୍ଷ ହୋଇଥିବା ବେଳେ ବରପାତ୍ରକୁ ୧୯ ବର୍ଷ ବୟସ ବୋଲି ଜଣାଯାଇଛି । ଆଇନ ଅନୁସାରେ ଉଭୟ ବିବାହ କରିବାକୁ ଅଯୋଗ୍ୟ ବୋଲି ଜଣାଯାଇଛି । ଏପରିସ୍ଥଳେ ପ୍ରଶାସନ ପକ୍ଷରୁ କୋହଳ ମନୋଭାବ ପୋଷଣ କରାଯାଉଥିବାରୁ ଜିଲ୍ଲାରେ ନାବାଳିକା ବିବାହ ଏକ ବ୍ୟାଧିରେ ପରିଣତ ହୋଇଛି ।






