ନୟାଗଡ଼, (ବାଘୁଆବାର୍ତ୍ତା): ଆଜି ବିଶ୍ୱ ଛେନାପୋଡ଼ ଦିବସ । ଏଥି ନିମନ୍ତେ ଚଳଚଞ୍ଚଳ ନୟାଗଡ଼ ବାସୀ । ନୟାଗଡ଼ ଛେନାପୋଡକୁ ନେଇ ସାରା ବିଶ୍ୱରେ ଏବେ ଚର୍ଚ୍ଚା ଜାରି ରହିଛି । ଆଜି ବହୁତ ସ୍ଥାନରେ ଧୁମଧାମରେ ପାଳନ ହେଉଛି ବିଶ୍ୱ ଛେନାପୋଡ଼ ଦିବସ । ଏଥି ନିମନ୍ତେ ଆଜି ସକାଳୁ ସକାଳୁ ଛେନାପୋଡର ସ୍ରଷ୍ଟା ସୁଦର୍ଶନ ସାହୁଙ୍କ ଜନ୍ମ ଦିବସ ଅବସରରେ ପାଳିତ ହୋଇଛି ବିଶ୍ୱ ଛେନାପୋଡ ଦିବସ । ଏହି ଅବସରରେ ନୟାଗଡ଼ ଜିଲ୍ଲା ପରିଷଦ କାର୍ଯ୍ୟ ନିର୍ବାହି ଅଧିକାରୀ ଲଗ୍ନଜିତ ରାଉତ, ତହସିଲଦାର ରାଜେଶ କେଶରୀ ସ୍ୱାଇଁ, ବିଭିନ୍ନ ସମାଜ ସେବୀ, ଆଇନଜୀବି, ସାମ୍ବାଦିକ ମାନେ ଉପସ୍ଥିତ ରହି ବିଶ୍ୱ ଛେନାପୋଡ ଦିବସ ପାଳନ କରିଥିଲେ ।

ସ୍ୱର୍ଗତ ସୁଦର୍ଶନ ସାହୁଙ୍କର ୩ ପୁତ୍ରଙ୍କ ସମେତ, ୩ ବୋହୁ ଏଥି ନିମନ୍ତେ କାର୍ଯ୍ୟକ୍ରମକୁ ତ୍ୱରାନିତ କରିଥିଲେ । ବଡ଼ ପୁତ୍ର ସୁରେନ୍ଦ୍ର, ସୁନୀଲ, ସୁମନ ଓ ବୋହୁ ମାନଙ୍କ ସହିତ ନାତୀ ନାତୁଣୀ ମାନେ ଉପସ୍ଥିତ ରହିଥିଲେ । ଛେନାପୋଡ ନୟାଗଡ଼ ପାଇଁ ଗର୍ବ ଓ ଗୌରବର କଥା ବୋଲି ଅତିଥି ମାନେ ପ୍ରକାଶ କରିଥିଲେ । ନୟାଗଡ଼ ଛେନାପୋଡ ନୟାଗଡ଼ର ଅସ୍ମିତା ବୋଲି ଗତକାଲି ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁ ପ୍ରକାଶ କରିଥିଲେ । ସେ ଗତକାଲି ସମସ୍ତେ ଏହି ଦିବସକୁ ପାଳନ କରିବା ପାଇଁ ନିବେଦନ କରିଥିଲେ । ଆଜି ସକାଳୁ ସକାଳୁ ନୟାଗଡ଼ର ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ଛେନାପୋଡ ଦିବସ ପାଳନ ହୋଇଚାଲିଛି ।

ସୁଦର୍ଶନଙ୍କ ନିଜ ବାସଗୃହ, ନୟାଗଡ଼ ଖେଳ ପଡିଆ ସହିତ ନୟାଗଡ଼ ଓକିଲ ସଂଘ ପକ୍ଷରୁ ପାଳନ କରାଯାଇଛି । ଏଥି ସହିତ ବିଭିନ୍ନ ସ୍ୱେଚ୍ଛାସେବୀ ସଂଗଠନ ଓ ଘରେ ଘରେ ଆଜି ବିଶ୍ୱ ଛେନାପୋଡ ଦିବସ ପାଳନ କରାଯାଉଛି । ଛେନାରେ ତିଆରି ଏହି ସୁସ୍ୱାଦୁ ମିଠା ଆମ ଓଡ଼ିଶାର ନୟାଗଡ଼ରୁ ସୃଷ୍ଟି । ନୟାଗଡ଼ ଛେନାପୋଡ଼କୁ ବିଶ୍ୱସ୍ତରୀୟ କରାଇବାକୁ ଆରମ୍ଭ ହୋଇଛି ଅନେକ ପ୍ରୟାସ । ଏପ୍ରିଲ ୧୧ ତାରିଖକୁ ବିଶ୍ବ ଛେନାପୋଡ଼ ଦିବସ ଭାବେ ପାଳନ କରୁଛି ଓଡ଼ିଶା । ମିଠା ଦୋକାନରେ ସଜେଇ ହୋଇ ରହିଛି ବିଭିନ୍ନ ସାଇଜର ଛେନାପୋଡ଼ । ସକାଳୁ ସକାଳୁ ବିଭିନ୍ନ ଛେନାପୋଡ ଦୋକାନରେ ଭିଡ ଲାଗି ରହିଛି । ଅନ୍ୟ ଜିଲ୍ଲାରୁ କିଛି ଲୋକ ଆସି ନୟାଗଡ଼ ବଜାରରେ ଛେନାପୋଡର ସ୍ୱାଦ ନେବାର ଉଦାହରଣ ଦେଖିବାକୁ ମିଳିଛି । ତେବେ ଜାଣିଛନ୍ତି କି ଛେନାପୋଡ଼ର ସ୍ରଷ୍ଟା ସ୍ୱର୍ଗତ ସୁଦର୍ଶନ ସାହୁଙ୍କ ଜନ୍ମଦିନକୁ ଏହି ଦିବସ ଭାବେ ପାଳନ କରାଯାଉଛି ।






