ନୟାଗଡ଼, (ବାଘୁଆବାର୍ତ୍ତା): ନୟାଗଡ଼ ଜିଲ୍ଲା ରଣପୁର ବ୍ଲକ ଅନ୍ତର୍ଗତ ଚାନ୍ଦପୁର ଦଶଦୋଳ ମେଳନ ଗତକାଲି ଅନୁଷ୍ଠିତ ହୋଇଯାଇଛି । ସରକାର ଏବଂ ଜିଲ୍ଲା ପ୍ରଶାସନର ନିର୍ଦ୍ଦେଶକୁ ଅଣଦେଖା କରି ଦଶଦୋଳ କମିଟି ମେଳନ ଆୟୋଜନ କରି ଏବେ ହରଣଘଣାରେ ପଡ଼ିଛି । ସୂଚନାନୁସାରେ, ଗତକାଲି ରାତିରେ ମେଳନ ପଡ଼ିଆରେ ଯାତ୍ରା କରାଯାଇ ଶତାଧିକ ଲୋକଙ୍କ ଜନ ସମାଗମ ଅନୁଷ୍ଠିତ ହୋଇଥିଲା । ଯାହା ଫଳରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଲଗାଯାଇଥିବା କଟକଣାର ଉଲଂଘନ ହୋଇଥିଲା । ଏଥି ନେଇ ଗତକାଲି ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ଚାନ୍ଦପୁର ରାଜସ୍ୱ ଅଧିକାରୀ ଚାନ୍ଦପୁର ଥାନାରେ ଏତଲା ଦେଇଛନ୍ତି । ସରକାରୀ ନିୟମକୁ ଉଲଂଘନ କରାଯାଇଥିବାରୁ ଦଶଦୋଳ ମେଳନ କମିଟି ସଭାପତି ଅଭୟ କୁମାର ସାହୁଙ୍କ ସମେତ ୨୨ ଜଣଙ୍କ ନାମରେ ଥାନାରେ ଅଭିଯୋଗ ପରେ ୨୭/୨୦ରେ ମାମଲା ରୁଜୁ ହୋଇଛି । ପୁଲିସ ଅଭିଯୋଗ ପାଇବା ପରେ ଦୋଷୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସଜବାଜ ହେଉଛି ।






