ନୟାଗଡ଼, (ବାଘୁଆବାର୍ତ୍ତା) : ଓଡ଼ିଶାରେ କରୋନା ଆକ୍ରାନ୍ତ ସଂଖ୍ୟା ଭୟାବହ ଭାବେ ବଢ଼ି ଚାଲିଥିବା ବେଳେ ଆଜି ରାଜ୍ୟରେ ନୂଆ ୫୯୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେଥିମଧ୍ୟରେ ନୟାଗଡ଼ ଜିଲ୍ଲାରୁ ୧୧ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ନେଇ ରାଜ୍ୟ ସରକାର ସୂଚନା ଦେଇଛନ୍ତି । ଜିଲ୍ଲାର ୫ଟି ବ୍ଲକରୁ ମୋଟ ୧୧ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ଜିଲ୍ଲାପ୍ରଶାସନ ସୂଚନା ଦେଇଥିବା ବେଳେ ଏଥିରେ ୯ଟି ମାମଲା ସ୍ଥାନୀୟ ସଂକ୍ରମିତ ବୋଲି ଜଣାଯାଇଛି । ଆଜି ଜିଲ୍ଲାରୁ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ନୟାଗଡ଼ ପୈାରଞ୍ଚଳର ୬ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ଜଣାଯାଇଛି । ସେମାନଙ୍କ ମଧ୍ୟରେ ନୟାଗଡ଼ ପୁରୁଣାସହରରୁ ୪ ଜଣ ସ୍ଥାନୀୟ ସଂକ୍ରମିତ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଅନ୍ୟ ଦୁଇ ଜଣ ମଧ୍ୟ ସ୍ଥାନୀୟ ସଂକ୍ରମିତ ବୋଲି ଜଣାଯାଇଛି । ନୟାଗଡ଼ ଗ୍ରାମାଞ୍ଚଳରୁ ମଧ୍ୟ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହା ସହିତ ଦଶପଲ୍ଲା ବିଜ୍ଞାପିତ ଅଂଚଳ ପରିଷଦ ମାଳିସାହିରୁ ଜଣେ ସ୍ଥାନୀୟ ସଂକ୍ରମିତ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ଜଣାଯାଇଛି । ସେହିଭଳି ଗଣିଆ ବ୍ଲକରୁ ଜଣେ ସ୍ଥାନୀୟ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଭାପୁର ବ୍ଲକ ଟିକିରିପଡ଼ାରୁ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେ ଭୂବନେଶ୍ୱର ସମ୍ ହସ୍ପିଟାଲରୁ ସ୍ୱାବ ପରୀକ୍ଷା କରାଇଥିବା ଜଣାଯାଇଛି । ଅନ୍ୟପକ୍ଷେ, ରଣପୁର ବ୍ଲକରୁ ଜଣେ କରୋନା ଆକ୍ରାନ୍ତ କ୍ୟାପିଟାଲ୍ ହସପିଟାଲରେ ଚିକିତ୍ସିତ ଅବସ୍ଥାରେ ଚିହ୍ନଟ ହୋଇଥିବା ଜଣାଯାଇଛି । ଜିଲ୍ଲାରେ ପୂର୍ବ ଆକ୍ରାନ୍ତଙ୍କୁ ମିଶାଇ ମୋଟ ଆକ୍ରାନ୍ତ ସଂଖ୍ୟା ୩୩୦ ହୋଇଥିବା ଜଣାଯାଇଛି ।





