ନୟାଗଡ଼,(ବାଘୁଆବାର୍ତ୍ତା): କରୋନାକୁ ନେଇ ରାଜ୍ୟ ସରକାର ନୟାଗଡ଼ ଜିଲ୍ଲାକୁ ଲକ୍ ଡାଉନ୍ ଘୋଷଣା କରିଛନ୍ତି । ସାମାଜିକ ଦୂରତା ବଜାୟ ରଖିବା ପାଇଁ ରାଜ୍ୟ ପୂର୍ବରୁ କିଛି ସହର ଓ ଜିଲ୍ଲାକୁ ଲକ୍ ଡାଉନ୍ ଘୋଷଣା କରିଥିବା ବେଳେ ଆଜି ନୟାଗଡ଼ ଜିଲ୍ଲାକୁ ଏଥିରେ ସାମିଲ କରିଛନ୍ତି । ଜିଲ୍ଲା ପ୍ରଶାସନ ପକ୍ଷରୁ ଏଥି ନିମନ୍ତେ ଆସନ୍ତାକାଲି ସକାଳ ୭ଟାରୁ ମାର୍ଚ୍ଚ ୨୯ ପର୍ଯ୍ୟନ୍ତ ଏହି ଲକ୍ ଡାଉନ୍ କାର୍ଯ୍ୟକାରୀ କରିବା ନେଇ ପଦକ୍ଷେପ ନିଆଯିବ । ଲକ୍ ଡାଉନ୍ ନିୟମନୁସାରେ, ସହରରେ ଗାଡ଼ି ମୋଟର ଚଳାଚଳ ସଂମ୍ପର୍ଣ୍ଣ ବନ୍ଦ କରାଯାଇଥିବା ବେଳେ ଦୁଇ ଚକିଆ ଗାଡ଼ିକୁ ବି ବନ୍ଦ କରାଯାଇଛି । ନିହାତୀ ଜରୁରୀ କାଳୀନ ଭିତ୍ତିରେ ପନିପରିବା, ତେଜରାତି, କ୍ଷୀର, ପାଉରୁଟି, ଫଳ, ମାଛ, ମାଂସ, ଅଣ୍ଟା ଦୋକାନ ଖୋଲା ରହିବ ବୋଲି ଜଣାଯାଇଛି । ଏତଦ୍ ବ୍ୟତୀତ ଡାକ୍ତରଖାନା, ମେଡିସିନ୍ ଷ୍ଟୋର, ଚଷମା ଦୋକାନ, ପ୍ରେଟୋଲ ପମ୍ପ, ଏଲପିିଜି ଗ୍ୟାସ ଏବଂ ସେମାନଙ୍କର ଗୋଦାମ ଗୃହ ଖୋଲା ରହିବ । ନୟାଗଡ଼ ଜିଲ୍ଲାରେ ସାତ ଜଣ ଏକାଠି ହେବା ପାଇଁ ବାରଣ କରାଯାଇଛି । ସେହିପରି ଥାନା, ସ୍ୱାସ୍ଥ୍ୟ କେନ୍ଦ୍ର, ପୈାର ପରିଷଦ ଏବଂ ବିଜ୍ଞାପିତ ଅଂଚଳ ପରିଷଦ, ଅଗ୍ନିଶମ, ବିଦ୍ୟୁତ, ପାନୀୟ ଜଳ, ବ୍ୟାଙ୍କ, ଏଙ୍କିଏମ୍, ଗଣମାଧ୍ୟମ ପ୍ରତିନିଧି, ଟେଲିଫୋନ ସେବା, ଡାକସେବା ପରି ଜରୁରୀକାଳିନ କାର୍ଯ୍ୟାଳୟ ଖୋଲା ରହୁଥିବା ବେଳେ ଅନ୍ୟ ସମସ୍ତ ଦୋକାନ ବଜାର ବନ୍ଦ ରହିବ । ଏଥିରେ ମଦ ଦୋକାନ ମଧ୍ୟ ବନ୍ଦ ରହିବ ବୋଲି କୁହାଯାଇଛି । ଯାହାକୁ ନେଇ ଆଜି ନୟାଗଡ଼ ଜିଲ୍ଲାପାଳ ଡ. ପୋମା ଟୁଡୁ ଜିଲ୍ଲାର ସମସ୍ତ ପ୍ରଶାସନିକ ଅଧିକାରୀଙ୍କ ସହ ଭିଡିଓ କନଫରେନ୍ସ ମାଧ୍ୟମରେ ଆଲୋଚନା କରିବା ସହ ଲକ୍ ଡାଉନ୍ କାର୍ଯ୍ୟକାରୀ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।






