
ନୟାଗଡ଼,(ବାଘୁଆବାର୍ତ୍ତା): ରାଜ୍ୟରେ ୧୯ ନମ୍ବର ଜିଲ୍ଲା ଭାବେ ନୟାଗଡ଼ ଜିଲ୍ଲାରୁ କରୋନା ଆକ୍ରାନ୍ତ ଗତକାଲି ଚିହ୍ନଟ ହୋଇଛି । ରଣପୁର ନିର୍ବାଚନ ମଣ୍ଡଳୀ ଶରଣକୂଳ ଥାନା ଅନ୍ତର୍ଗତ ହରିହରପୁର କରଡ଼ା କ୍ୱାରେଣ୍ଟାଇନ୍ ସେଣ୍ଟରରେ ଜଣେ ଆକ୍ରାନ୍ତ ଚିହ୍ନଟ ହେବା ପରେ ସବୁଜ ନୟାଗଡ଼ କମଳା ଜୋନ୍ରେ ପରିଣତ ହୋଇଛି । ଏଥିସହିତ ନୟାଗଡ଼ ଜିଲ୍ଲା କରଡ଼ା କ୍ୱାରେଣ୍ଟାଇନ୍ ସେଣ୍ଟରରୁ ଆକ୍ରାନ୍ତ ଚିହ୍ନଟ ପରେ ସଂପୃକ୍ତ ଅଂଚଳକୁ ସଟ୍ଡାଉନ୍ କରାଯାଇଛି । ଯାହା ଫଳରେ ଏହି ଅଂଚଳର ଲୋକଙ୍କ ମଧ୍ୟରେ କୋକୁଆ ଭୟ ସୃଷ୍ଟି ହୋଇଛି । ଲୋକମାନେ ଭୟରେ ଘରୁ ବାହାରୁ ନଥିବା ବେଳେ ପ୍ରଶାସନର ସ୍ୱତନ୍ତ୍ର ନଜର ଏହି ଅଂଚଳରେ ରହିଛି । ପ୍ରଶାସନ ପକ୍ଷରୁ ଜିଲ୍ଲା ସ୍ତରୀୟ ଅଧିକାରୀମାନେ ତନାଘନା ଚଳାଇଥିବା ବେଳେ ପୁଲିସର ସ୍ୱତନ୍ତ୍ର ନଜର ରହିଛି । ଏହି କ୍ୱାରେଣ୍ଟାଇନ୍ ସେଣ୍ଟର ଓ ସଂପୃକ୍ତ ଅଂଚଳକୁ ଆଜି ଅଗ୍ନିଶମ ବିଭାଗ ପକ୍ଷରୁ ସାନିଟାଇଜେସନ୍ କରାଯାଇଥିବା ବେଳେ ଆସନ୍ତାକାଲି କ୍ୱାରେଣ୍ଟାଇନ୍ରେ ରହିଥିବା ଅନ୍ୟ ୪୫ ଜଣଙ୍କ ସ୍ୱାବ ପରୀକ୍ଷା ପାଇଁ ପୁଣି ପଠାଯିବ ବୋଲି ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ଶ୍ୱେତ ମହାପାତ୍ର ସୂଚନା ଦେଇଛନ୍ତି । ଅନ୍ୟପକ୍ଷେ, ଶରଣକୂଳ ପୁଲିସ ପକ୍ଷରୁ ଏହି ଅଂଚଳକୁ ସିଲ୍ କରି ଦିଆଯାଇଥିବା ବେଳେ ନିୟମକୁ କଡ଼ାକଡ଼ି ଭାବେ ପାଳନ କରାଯାଉଛି ।






