ଚିକିତ୍ସାଧିନ ଥିବା ୨୪ ଆକ୍ରାନ୍ତଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର
ନୟାଗଡ଼, (ବାଘୁଆବାର୍ତ୍ତା) : ନୟାଗଡ଼ ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଭୟାବହ ଭାବେ ବଢ଼ି ଚାଲିଥିବା ବେଳେ ସୁସ୍ଥଙ୍କ ତାଲିକା ସେହି ତୁଳନାରେ ବଢ଼ୁଛି । ଯାହାକୁ ନେଇ ନୟାଗଡ଼ ଜିଲ୍ଲାବାସୀଙ୍କ ମନରେ ରହିଥିବା ଭୟ କ୍ରମଶଃ କମିବାରେ ଲାଗିଛି । ଏହା ଜିଲ୍ଲାପାଇଁ ଖୁସି ଖବର ବୋଲି ଆଲୋଚନା ହେଉଛି । ସୂଚନାନୁସାରେ, ପୂର୍ବରୁ ନୟାଗଡ଼ ଜିଲ୍ଲାର ମୋଟ ୬୯ ଆକ୍ରାନ୍ତଙ୍କ ମଧ୍ୟରୁ ୩୦ ଜଣ ସୁସ୍ଥ ହୋଇଥିବା ବେଳେ ଆଜି ଏହି ସଂଖ୍ୟାରେ ଆଉ ୧୫ ଯୋଡ଼ି ହୋଇଛି । ସେମାନଙ୍କ ମଧ୍ୟରେ ଦଶପଲ୍ଲା ବ୍ଲକ ଘୋଳାହାଣ୍ଡି ସଂଗରୋଧ କେନ୍ଦ୍ରରୁ ଚିହ୍ନଟ ଦୁଇ ଆକ୍ରାନ୍ତ ରହିଥିବା ବେଳେ ମଧ୍ୟଖଣ୍ଡ ସଂସ୍କୃତ ମହାବିଦ୍ୟାଳୟର ଦୁଇ ଆକ୍ରାନ୍ତ ରହିଥିବା ଜଣାଯାଇଛି । ଅନ୍ୟ ୧୧ ଜଣ ଆକ୍ରାନ୍ତ ନୟାଗଡ଼ ବ୍ଲକର ବୋଲି ଜଣାଯାଇଛି । ଏମାନଙ୍କ ମଧ୍ୟରେ ଇଟାମାଟି ନାରାୟଣୀ ବାଳିକା ଉଚ୍ଚ ବିଦ୍ୟାଳୟ ସଂଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବା ସାତ ଜଣ ଆକ୍ରାନ୍ତ ରହିଥିବା ବେଳେ ଲାଠିପଡ଼ା କଲ୍ୟାଣ ମଣ୍ଡପରୁ ଚିହ୍ନଟ ହୋଇଥିବା ୪ ଜଣ ଆକ୍ରାନ୍ତ ବୋଲି ଜିଲ୍ଲା କୋଭିଡ୍ ନୋଡାଲ୍ ଅଧିକାରୀ ତଥା ବନଖଣ୍ଡ ଅଧିକାରୀ ଧନରାଜ ଏଚ୍.ଡି ସୂଚନା ଦେଇଛନ୍ତି । ଅନ୍ୟପକ୍ଷରେ ଜିଲ୍ଲାରେ ଚିକିତ୍ସାଧିନ ଥିବା ୨୪ ଆକ୍ରାନ୍ତଙ୍କ ସଂଖ୍ୟା ସୁସ୍ଥ ରହିଥିବା ଜଣାଯାଇଛି ।






