ନୟାଗଡ଼, (ବାଘୁଆବାର୍ତ୍ତା) : ନୟାଗଡ଼ ସହରରେ ଆଜି ନୟାଗଡ଼ ଆରକ୍ଷୀ ଅଧିକ୍ଷକ ପ୍ରତ୍ୟୁଷ ଦିୱାକର ତନାଘନା କରିଛନ୍ତି । ପ୍ରତ୍ୟେକ ଦିନ ଏସ୍ପି ଗ୍ରସ୍ତ ସମୟରେ ଅନେକ ଦୋକାନରେ ସାମାଜିକ ଦୂରତା ରହୁନଥିବା ଏବଂ କିଛି ଅମାନିଆ ଦୋକାନୀ ପାଇଁ ଗହଳୀ ସୃଷ୍ଟି ହେଉଥିବା ଦେଖିବାକୁ ପାଇଥିଲେ । ଯାହାକୁ ନେଇ ଆଜି ଏସ୍ପି ବଜାରରେ ଚଢ଼ାଉ କରିଥିଲେ । ନୟାଗଡ଼ ରାଜୀବ ମାର୍କେଟ, ଓଡ଼ଗାଁ ଛକ ପ୍ରଭୃତି ସ୍ଥାନରେ ଟାଉନଥାନା ଏସ୍ଆଇ ଧର୍ମେନ୍ଦ ଶିଆଳ ଏବଂ ତାଙ୍କ ଟିମ୍କୁ ଧରି ଏସ୍ପି ଚଢ଼ାଉ ସମୟରେ ପାଂଚଟି ଦୋକାନକୁ ବନ୍ଦ କରାଇବା ସହ ସେମାନଙ୍କ ଚାବି ଜବତ କରାଯାଇଥିବା ଜଣାଯାଇଛି । ଏହି ଚଢ଼ାଉକୁ ନେଇ ଅନେକ ଦୋକାନ ଆପେ ଆପେ ବନ୍ଦ ହୋଇଯାଇଥିବା ବେଳେ ଗହଳୀ ହେଉଥିବା କିଛି ଦୋକାନକୁ ମଧ୍ୟ ବନ୍ଦ କରାଯାଇଥିବା ଜଣାଯାଇଛି । ଅଗଷ୍ଟ ମାସ ଜିଲ୍ଲା ପାଇଁ ବିପଦ ସୃଷ୍ଟି ହୋଇଥିବା ଏବଂ ବ୍ୟବସାୟୀମାନେ କୋଭିଡ୍ ନିୟମ ମାନୁନଥିବାରୁ ପ୍ରତ୍ୟେକ ଦିନ ସହରରେ ଚଢ଼ାଉ କରାଯିବ ବୋଲି ଜଣାଯାଇଛି । ଯେଉଁ ବ୍ୟବସାୟୀମାନେ ବ୍ୟବସାୟ ସମୟରେ ସାମାଜିକ ଦୂରତା ରକ୍ଷା କରୁ ନାହାନ୍ତି, ସେମାନଙ୍କ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ହେବ ବୋଲି ଜଣାଯାଇଛି ।






