ରାତି ୭ରୁ ସକାଳ ୭ ବାହାରେ ବୁଲିବା ମନା
ନୟାଗଡ଼, (ବାଘୁଆବାର୍ତ୍ତା): କରୋନା ମହାମାରୀ ପାଇଁ ଭାରତରେ ତୃତୀୟ ପର୍ଯ୍ୟାୟ ଲକ୍ଡାଉନ୍ରେ ନୟାଗଡ଼ ଜିଲ୍ଲା ଗ୍ରୀନ୍ ଜୋନ୍ରେ ରହିଛି । ନିୟମନୁସାରେ ଗ୍ରୀନ ଜୋନ୍ରେ ବିଭିନ୍ନ ବ୍ୟବସାୟୀକ ପ୍ରତିଷ୍ଠାନ ଖୋଲାଯିବା ନେଇ ନୟାଗଡ଼ ଜିଲ୍ଲାପାଳ ଡ. ପୋମା ଟୁଡୁ ସ୍ୱତନ୍ତ୍ର ନିର୍ଦ୍ଦେଶ ଜାରି କରିଛନ୍ତି । ଏହି ନିର୍ଦ୍ଦେଶନୁସାରେ, ଆଜିଠାରୁ ଜିଲ୍ଲାରେ ସମସ୍ତ ଦୋକାନ ବଜାର ଖୋଲିବାକୁ କୁହା ଯାଇଥିବା ଜଣାପଡ଼ିଛି । ସକାଳ ୭ଟାରୁ ଦିନ ୧ଟା ପର୍ଯ୍ୟନ୍ତ ସାମାଜିକ ଦୂରତା ଅବଲମ୍ବନ କରି ବ୍ୟବସାୟୀକ ପ୍ରତିଷ୍ଠାନ ଖୋଲିବ ବୋଲି ଜଣାପଡ଼ିଛି । ଉଭୟ ଅତ୍ୟାବଶ୍ୟକ ଓ ଅଣଅତ୍ୟାବଶ୍ୟକ ବ୍ୟବସାୟ ପ୍ରତିଷ୍ଠାନ ଖୋଲିବାକୁ ଅନୁମତି ଦିଆଯାଇଛି । ବ୍ୟବସାୟୀମାନେ ମାସ୍କ ପିନ୍ଧିବା ସହ ଗ୍ରାହକଙ୍କ ମଧ୍ୟରେ ଯେପରି ସାମାଜିକ ଦୂରତା ରହିବ ସେ ନେଇ ଦାୟିତ୍ୱ ମୁଣ୍ଡାଇବାକୁ କୁହାଯାଇଛି । ଏଥିସହିତ ଔଷଧ ଦୋକାନ ମଧ୍ୟ ସକାଳ ୭ଟାରୁ ଦିନ ୧ଟା ପର୍ଯ୍ୟନ୍ତ ଖୋଲିବା ପାଇଁ କୁହାଯାଇଛି । ଜିଲ୍ଲାରେ ସ୍ୱତନ୍ତ୍ର ଭାବେ ମଦ ଦୋକାନକୁ ବନ୍ଦ କରାଯାଇଥିବା ବେଳେ ସପିଂ ମଲ୍, ସିନେମା ହଲ୍, ବନ୍ଦ ରହିବ ବୋଲି ନିର୍ଦ୍ଦେଶ ରହିଛି । ରାଜନୈତିକ ଦଳ, ସାସ୍କୃତିକ ଅନୁଷ୍ଠାନ, ବିବାହ ବ୍ରତ, ଖେଳକୁଦ, ମନୋରଂଜନ ଆଦି କାର୍ଯ୍ୟକ୍ରମକୁ ବାରଣ କରାଯାଇଛି । ସେହିଭଳି ଜିମ୍ ସ୍କୋର୍ଟ କମ୍ଲେସ୍ଲ, ସୁଇମିଙ୍ଗପୁଲ, ପାର୍କ, ବାର୍ ଆଦିକୁ ବାରଣ କରାଯାଇଛି । ପ୍ରତ୍ୟେକ ସ୍କୁଲ, କଲେଜ ଶିକ୍ଷାନୁଷ୍ଠାନ, କୋଚିଂ ବନ୍ଦ ରହିବା ବେଳେ ଅନ୍ଲାଇନ୍ ମାଧ୍ୟମରେ ପାଠ ପଢ଼ିବା ପାଇଁ ନିର୍ଦ୍ଦେଶ ଜାରି କରାଯାଇଛି । କେନ୍ଦ୍ର ସରକାରଙ୍କର ଗୃହ ବିଭାଗ ନିର୍ଦ୍ଦେଶ ଅନୁମତି କ୍ରମେ ବାହ୍ୟ ରାଜ୍ୟ ଗ୍ରସ୍ତକୁ ଅନୁମତି ଦିଆଯାଇଛି । ସମସ୍ତ ଟ୍ରେନ ଓ ବସକୁ ବାତିଲ୍ କରାଯାଇଛି । ସ୍ୱାସ୍ଥ୍ୟଗତ ଜରୁରୀ କାଳିନ ପାଇଁ ବାହ୍ୟ ରାଜ୍ୟକୁ ଯିବାକୁ ହେଲେ ସେଥିପାଇଁ ଅନୁମତି ନେଇ ଯିବାକୁ ପଡ଼ିବ ବୋଲି କୁହାଯାଇଛି । ଏଥିସହିତ ୬୫ ବର୍ଷରୁ ଉର୍ଦ୍ଧ୍ୱ ବୟସ୍କ ବ୍ୟକ୍ତି, ଗର୍ଭବତୀ ମହିଳା ଏବଂ ଦଶବର୍ଷରୁ କମ ଶିଶୁମାନେ ଘର ଭିତରେ ରହିବା ପାଇଁ ଜିଲ୍ଲାପାଳ ପରାମର୍ଶ ଦେଇଛନ୍ତି । ଏଥି ସହିତ ଜିଲ୍ଲାପାଳ ରାତି ୭ଟାରୁ ସକାଳ ୭ଟା ମଧ୍ୟରେ ବାହାରେ ବୁଲାବୁଲି କରିବାକୁ ବାରଣ କରିଛନ୍ତି । କୈାଣସି ବାହାନା ସୃଷ୍ଟି କରି ଏହି ସମୟ ମଧ୍ୟରେ ବାହାରେ ବୁଲାବୁଲି କଲେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସୂଚନା ଦିଆଯାଇଛି ।





