ନୟାଗଡ଼,(ବାଘୁଆବାର୍ତ୍ତା): ନୟାଗଡ଼ ଜିଲ୍ଲାରୁ ଓଡ଼଼ଗାଁ ବ୍ଲକର ୩ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ନେଇ ଗତକାଲି ରାତିରେ ଜିଲ୍ଲାକୁ ସୂଚନା ମିଳିବା ପ୍ରଶାସନିକ ବ୍ୟବସ୍ଥାକୁ ନାକେଦମ ହେବାକୁ ପଡ଼ିଛି । ସୁରାଟରୁ ଏକ ବସ ଯୋଗେ ଅନ୍ୟ କିଛି ବ୍ୟକ୍ତିଙ୍କ ସହ କରୋନା ଚିହ୍ନଟ ହୋଇଥିବା ବ୍ୟକ୍ତିମାନେ ଚଳିତମାସ ୬ ତାରିଖରେ ଫେରିଥିଲେ । ସେମାନଙ୍କୁ କୋମଣ୍ଡ ଉଚ୍ଚ ବିଦ୍ୟାଳୟ ସଂଗରୋଧ କେନ୍ଦ୍ରରେ ରଖାଯାଇଥିଲା । ଗତକାଲି ଦିନ ୩ ଘଟିକା ସମୟରେ ଅନ୍ୟ କିଛି ବ୍ୟକ୍ତିଙ୍କ ସହ ଏହି ୩ ଜଣ ବ୍ୟକ୍ତିଙ୍କୁ ସଂଗରୋଧ ମୁକ୍ତ କରାଯାଇଥିବା ବେଳେ ସେମାନଙ୍କ ୭ ଦିନିଆ ଗୃହ ସଂଗରୋଧରେ ରହିବାକୁ ପରାମର୍ଶ ଦିଆଯାଇଥିଲା । ମାତ୍ର ସଂନ୍ଧ୍ୟାରେ ସେମାନଙ୍କର କରୋନା ପଜେଟିଭ୍ ଚିହ୍ନଟ ହେବା ପରେ ଅକଳରେ ପଡ଼ିଥିଲେ ବ୍ଲକ ପ୍ରଶାସନ ଓ ପଂଚାୟତ ପ୍ରତିନିଧି । ମାତ୍ର ତିନିଜଣଙ୍କ ମଧ୍ୟରୁ ଜଣେ ନିଜ ଗୃହରେ ରହିଥିବା ବେଳେ ଅନ୍ୟ ଦୁଇଜଣଙ୍କ ପାଇଁ ଗତକାଲି ସମସ୍ୟା ସୃଷ୍ଟି ହୋଇଥିବା ଜଣାଯାଇଛି । ସାକେରୀ ଗ୍ରାମର ବ୍ୟକ୍ତି ନିଜ ଗୃହରେ ରହିଥିବା ବେଳେ କୋମଣ୍ଡ ଗ୍ରାମର ବ୍ୟକ୍ତି ଜଣଙ୍କୁ କୁରାଳରୁ ଉଦ୍ଧାର କରାଯାଇଥିବା ଜଣାଯାଇଛି । ସବୁଠାରୁ ବିସ୍ମୟକର ପରିସ୍ଥିତି ସୃଷ୍ଟି କରିଛନ୍ତି ସୁନାମୁହିଁ ଗ୍ରାମର କରୋନା ଆକ୍ରାନ୍ତ । ସେ ଗତକାଲି ସଂଗରୋଧରୁ ମୁକ୍ତ ହେବା ପରେ ନିଜ ଘରେ ଜିନିଷପତ୍ର ରଖି କେଉଁଆଡ଼େ ଚାଲି ଯାଇଥିବା ଜଣାପଡ଼ିଥିଲା । ଫଳରେ ପଂଚାୟତ ଓ ବ୍ଲକ ପ୍ରଶାସନ ତାଙ୍କୁ ଉଦ୍ଧାର କରିବାକୁ ନାକେଦମ ହୋଇଛନ୍ତି । ଦୀର୍ଘ ସମୟ ପରେ ତାଙ୍କୁ ଶରଣକୂଳ ନିକଟସ୍ଥ କରଡ଼ା ଛକରେ ମଦ୍ୟପାନ ଅବସ୍ଥାରେ ଉଦ୍ଧାର ହୋଇଥିବା ଜଣାଯାଇଛି । ଏହି ବ୍ୟକ୍ତି ଜଣଙ୍କ ପ୍ରଥମେ ଧରା ନଦେବା ପାଇଁ ବାହଡ଼ାଝୋଲାଠାରୁ ରୋହିବାଙ୍କ ପର୍ଯ୍ୟନ୍ତ ବୁଲାଇଥିବା ବେଳେ ତାଙ୍କ ଫୋନ ଟ୍ରାକ କରାଯାଇ ଧରାଯାଇଥିବା ଜଣାଯାଇଛି । ଆକ୍ରାନ୍ତ ଜଣଙ୍କ ପୁଲିସ ଭ୍ୟାନକୁ ଦେଖି ଦୈାଡ଼ି ପଳାଇବା ଅବସ୍ଥାରେ ଏହ ଗହୀର ବିଲରେ ନିଶା କାରଣରୁ ଖସି ପଡ଼ିଥିଲେ । ସେଠାରେ ସ୍ୱାସ୍ଥ୍ୟ ବିଭାଗ କର୍ମଚାରୀ ପଂହଚି ତାଙ୍କୁ କୋଭିଡ୍ ହସ୍ପିଟାଲ ସ୍ଥାନାନ୍ତରିତ କରିଥିବା ଜଣାଯାଇଛି ।






