ନୟାଗଡ଼, (ବାଘୁଆବାର୍ତ୍ତା): ନୟାଗଡ଼ ଜିଲ୍ଲା ଦଶପଲ୍ଲା ବ୍ଲକ କୁଆଁରିଆ ନିକଟସ୍ଥ ଚୁମିକି ଢାବା ନିକଟରୁ ଅବକାରୀ ବିଭାଗ ସନ୍ଦେହ ଜନକ ଅବସ୍ଥାରେ ଏକ କାର ଜବତ କରିଥିବା ବେଳେ କାରରେ ଥିବା ୩ ଜଣ ବ୍ୟକ୍ତି ଚମ୍ପଟ ମାରିଥିବା ଜଣାଯାଇଛି । ସୂଚନାନୁସାରେ, ଆଜି ଅପରାହ୍ନରେ ଫୁଲବାଣୀରୁ ଭୂବନେଶ୍ୱର ଅଭିମୂଖେ ଓଡି ୦୨ ଡି ୦୭୩୨ ନମ୍ବର ବିଶିଷ୍ଟ ମହିନ୍ଦ୍ରା କାରରେ ୩ ଜଣ ବ୍ୟକ୍ତି ଆସୁଥିବା ବେଳେ ପୂର୍ବ ସୂଚନା ପାଇଁ ଦଶପଲ୍ଲା ଅବକାରୀ ବିଭାଗର କିଛି କର୍ମଚାରୀ ଗାଡ଼ିକୁ ଅଟକାଇ ଥିଲେ । ଫଳରେ ଗାଡ଼ି ଭିତରେ ବସିଥିବା ୩ ଜଣ ବ୍ୟକ୍ତି ଘଟଣାସ୍ଥଳରୁ ଚମ୍ପଟ ମାରିଥିବା ବେଳେ ଅବକାରୀ ବିଭାଗ କର୍ମଚାରୀମାନେ ଗାଡ଼ିକୁ ଜବତ କରିଥିବା ଜଣାଯାଇଛି । ଏହି ଗାଡ଼ିରେ ବିପୁଳ ପରିମାଣର ଗଞ୍ଜେଇ ଯାଉଥିବା ସନ୍ଦେହ କରାଯାଉଥିବା ବେଳେ ଦଶପଲ୍ଲା ଅବକାରୀ ଥାନା ଅଧିକାରୀ ପହଂଚିବା ପରେ ଗାଡ଼ି ଯାଂଚ କରାଯିବ ବୋଲି କର୍ମଚାରୀମାନେ କହିଛନ୍ତି । ଏଠାରେ ପ୍ରକାଶ ଥାଉ କି, ନୟାଗଡ଼ ଜିଲ୍ଲାରୁ କିଛି ଦିନ ମଧ୍ୟରେ ବିଭିନ୍ନ ସ୍ଥାନରୁ ପୁଲିସ ବିଭାଗ ଏବଂ ବନବିଭାଗ ଗଞ୍ଜେଇ ଜବତ କରୁଥିବା ବେଳେ ଅବକାରୀ ବିଭାଗ ନିଘୋର ନିଦରେ ଶୋଇଥିବା ଅଭିଯୋଗ ହେଉଥିଲା । ଆଜି ଅବକାରୀ ବିଭାଗ ହାବୁଡ଼ରେ ପଡ଼ିଥିବା ଗାଡ଼ିଟି ଫୁଲବାଣୀ ଅଂଚଳର ପରମାନନ୍ଦ ନାୟକଙ୍କ ନାମରେ ଥିବା ବାହାନ ଆପରୁ ଜଣାଯାଇଛି ।






