ନୟାଗଡ଼, (ବାଘୁଆବାର୍ତ୍ତା) : ଅନ୍ଧବିଶ୍ୱାସ ବଶବର୍ତ୍ତୀ ହୋଇ ଗାଁ କଙ୍ଗାରୁକୋର୍ଟରେ ଜଣେ ଯୁବକଙ୍କୁ ଅକଥନୀୟ ନିର୍ଯ୍ୟାତନା ଦିଆଯାଇଥିବା ଅଭିଯୋଗ ହୋଇଛି । ଗ୍ରାମବାସୀ ଯୁକକଙ୍କ ହାତକୁ ଗରମ ପାଣିରେ ବୁଡ଼ାଇ ରଖିବା ଫଳରେ ଯୁବକଙ୍କ ହାତ ଫୋଟକା ସୃଷ୍ଟି ହୋଇଛି । ସୂଚନାନୁସାରେ, ନୟାଗଡ଼ ଜିଲ୍ଲା ରଣପୁର ଥାନା ଅନ୍ତର୍ଗତ ମହତପଲ୍ଲା ପଂଚାୟତ ଭଳିଆମାଳ ଗ୍ରାମରେ ଶନିବାର ରାତିରେ ଏଭଳି ଅଭାବନୀୟ ଘଟଣା ଘଟିଥିବା ଜଣାଯାଇଛି । ଏହି ଗ୍ରାମରେ କିଛି ଦିନ ହେବ କାହାର କିଛି ରୋଗ ହେଲେ ଗୁଣି କରାଯାଉଥିବା ନେଇ ସନ୍ଦେହ ପ୍ରକାଶ ପାଉଥିଲା । ଯାହାକୁ ନେଇ ଗତକାଲି ଗ୍ରାମବାସୀ କଙ୍ଗାରୁକୋର୍ଟ ବସାଇଥିଲେ । ଏହି ଗ୍ରାମର ଗ୍ରାମର ବସନ୍ତ ଦେହୁରୀଙ୍କ ଗ୍ରାମ କଙ୍ଗାରୁକୋର୍ଟ ଗୁଣି କରୁଥିବା ନେଇ ଦୋଷ ଦିଆଯାଇଥିଲା । ପରେ ଗାଁ ଠାକୁରାଣୀଙ୍କ ପାଖରେ ଏକ ଚୁଲିରେ ବସା ଯାଇଥିବା ଗରମ ପାଣି ହଣ୍ଡାରେ ବସନ୍ତଙ୍କ ହାତକୁ ଜୋର ଜବରଦସ୍ତ ବୁଡ଼ାଇ ଦିଆଯାଇଥିବା ନେଇ ଅଭିଯୋଗ ହୋଇଛି । ଯାହା ଫଳରେ ବସନ୍ତ ଗୁରୁତର ହୋଇପଡ଼ିଥିବା ବେଳେ ପରିବାର ଲୋକେ ତାଙ୍କୁ ଉଦ୍ଧାର କରି ରଣପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତୀ କରିଥିବା ଜଣାଯାଇଛି । ବସନ୍ତଙ୍କ ହାତ ସାରା ମେଂଚା ମେଂଚା ଫୋଟକା ହୋଇ ଯାଇଥିବା ଦେଖିବାକୁ ମିଳିଛି । ଏହି ଘଟଣାରେ ପୁଲିସ ଗ୍ରାମର ୧୩ ଜଣଙ୍କୁ ଗିରଫ କରିଥିବା ରଣପୁର ଥାନା ଅଧିକାରୀ ରଶ୍ମୀ ରଂଜନ ଦାଶ ସୂଚନା ଦେଇଛନ୍ତି ।





