ନୟାଗଡ଼,(ବାଘୁଆବାର୍ତ୍ତା) : ନୟାଗଡ଼ ଜିଲ୍ଲା କାୟା ବିସ୍ତାରି ଥିବା କଙ୍ଗାରୁକୋର୍ଟ ଆଇନ ଦ୍ୱାରା ଦଣ୍ଡିତ ହୋଇଛନ୍ତି ଆଉ ଜଣେ ବ୍ୟକ୍ତି । ପୋଖରୀ ନିଲାମ ନେବାକୁ କେନ୍ଦ୍ର କରି ବ୍ୟକ୍ତିଙ୍କୁ ନିଆଁପାଣି ବାସନ୍ଦ କରା ଯିବା ସହ ଦୁଆରେ କଣ୍ଟା ଛଟା ଯାଇଥିବା ନେଇ ଅଭିଯୋଗ ହୋଇଛି । ସୂଚନାନୁସାରେ, ରଣପୁର ବ୍ଲକ ଚାନ୍ଦପୁର ଥାନା ଅନ୍ତର୍ଗତ କେରେଣ୍ଡାଟାଙ୍ଗି ପଂଚାୟତ ଉପେନ୍ଦ୍ରପୁର ଗ୍ରାମର ପ୍ରସନ୍ନ ସୁନ୍ଦରରାୟ ଗାଁ ମୁଣ୍ଡରେ ଥିବା ପୋଖରୀ ଏବଂ ବାଘମରା ବନ୍ଧକୁ ଚାରି ବର୍ଷ ତଳେ ପଂଚାୟତରୁ ନିଲାମରେ ନେଇଥିଲେ । ଯାହାକୁ ନେଇ ତାଙ୍କୁ ଏକ ଘରକିଆ କରାଯାଇଥିବା ବେଳେ ଚଳିତ ବର୍ଷ ପୋଖରୀ ନିଲାମକୁ ନେଇ କଙ୍କାରୁକୋର୍ଟର ନିଷ୍ପତ୍ତି ସବୁ ସୀମା ଲଘଂଛି । ଚଳିତ ମାସ ୧୦ ତାରିଖରେ ପ୍ରସନ୍ନ ପଂଚାୟତରୁ ନିଲାମ ନେଇଛନ୍ତି । ଯାହାକୁ ନେଇ ଗାଁରେ କିଛି ଅସାମାଜିକ ବ୍ୟକ୍ତି କଙ୍ଗାରୁକୋର୍ଟ ବସାଇ ପୁଣିଥରେ ନିଆଁପାଣି ବାସନ୍ଦ କରିଥିବା ଏବଂ ଘରେ ପଶି ତାଙ୍କ ପରିବାରକୁ ଜୀବନରୁ ମାରି ଦେବାକୁ ଧମକ ଦେଇଥିବା ନେଇ ପ୍ରସନ୍ନ ଅଭିଯୋଗ କରିଛନ୍ତି । ଏପରିକି ପରିବାର ଲୋକେ ଘରେ ଶୋଇଥିବା ବେଳେ କିଛି ଗାଁ ଲୋକ ତାଙ୍କ ଦୁଆରେ କଣ୍ଟା ଛାଟି ଦେଇଥିବା ଏବଂ ତାଙ୍କ ଛୋଟ ଛୁଆକୁ ଘରୁ ଅପହରଣ କରି ନେଇ ହତ୍ୟା କରାଯିବାର ଧମକ ଦିଆଯାଇଥିବା ନେଇ ସେ ଉପଜିଲ୍ଲାପାଳଙ୍କୁ ଅଭିଯୋଗ କରିଛନ୍ତି । ଉପଜିଲ୍ଲାପାଳ ଅଭିଯୋଗ ପତ୍ରକୁ ଗ୍ରହଣ କରି ଚାନ୍ଦପୁର ଥାନା ଅଧିକାରୀଙ୍କ ପାଖକୁ ପଠାଇଥିବା ଜଣାଯାଇଛି ।





