ସାମ୍ବାଦିକ ସମ୍ମିଳନୀରେ ମତ ରଖିଲେ ରାଷ୍ଟ୍ରିୟ ପ୍ରବକ୍ତା
ନୟାଗଡ଼,(ବାଘୁଆବାର୍ତ୍ତା): ବିଜେପି ପକ୍ଷରୁ ନାଗରିକତା ସଂଶୋଧନ ଅଧିନିୟମ ଜିଲ୍ଲାସ୍ତରୀୟ ସଚେତନତା କାର୍ଯ୍ୟକ୍ରମ ନୀଳମାଧବ କଲ୍ୟାଣମଣ୍ଡପଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ରାଷ୍ଟ୍ରିୟ ପ୍ରବକ୍ତା ଡ. ସମ୍ବିତ ପାତ୍ର, ଜିଲ୍ଲା ସଭାପତି ଲାଲା ମନୋଜ ରାୟ, ପୂର୍ବତନ ମନ୍ତ୍ରୀ ସୁରମା ପାଢ଼ୀ, ପୂର୍ବତନ ବିଧାୟକ ପୂର୍ଣ୍ଣଚନ୍ଦ୍ର ନାୟକ, କାଶୀନାଥ ମଲ୍ଲିକ, ପୂର୍ବତନ ଜିଲ୍ଲା ସଭାପତି ସନ୍ୟାସୀ ନାୟକ ପ୍ରମୂଖ ଉପସ୍ଥିତ ଥିଲେ । ସାରା ଭାରତ ବର୍ଷରେ ଜାନୁୟାରୀ ୫ ତାରିଖରୁ ନାଗରିକତା ସଂଶୋଧନ ଅଧିନିୟମରେ ବିଜେପି ପକ୍ଷରୁ ସଚେତନତା ଅଭିଯାନ ଆରମ୍ଭ ହୋଇଛି । ଏହି ନୂଆ ଆଇନକୁ ସାରା ଦେଶରେ ଜନଜାଗରଣ କରିବା ଏବଂ ଘରେ ଘରେ ପହଂଚାଇବା ଏହାର ମୁଖ୍ୟ ଉଦ୍ଦେସ୍ୟ ବୋଲି ରାଷ୍ଟ୍ରିୟ ପ୍ରବକ୍ତା ଡ. ପାତ୍ର କହିଛନ୍ତି । ନିର୍ବାଚନ ପୂର୍ବରୁ ଆମ ଦଳ ଯାହା ଘୋଷଣା କରିଥିଲା ମୋଦି ତାହାକୁ କରି ଦେଖାଉଥିବା ବେଳେ ବିରୋଧିମାନେ ଏହାକୁ ସହ୍ୟ କରି ନପାରି ଦେଶରେ ନିଆଁ ଲଗାଇବ ନେଇ ଯୋଜନା ଚଳାଇଥିବା ସେ କହିଛନ୍ତି । ଭାରତ ସମସ୍ତଙ୍କୁ ସୁରକ୍ଷା ଦେଉଛି କିନ୍ତୁ ଅନ୍ୟ ପକ୍ଷରେ ପାକିସ୍ତାନ ଏହା କରୁ ନାହିଁ । ପାକିସ୍ତାନ, ବାଂଲାଦେଶ, ଆଫଗାନିସ୍ତାନର ହିନ୍ଦୁ, ବୈାଦ୍ଧ, ଶିଖ୍, ଜୈନ, ପାର୍ସି, ଖ୍ରୀଷ୍ଟ୍ରିୟାନମାନେ ଯେଉଁମାନେ ୩୧ ଡିସେମ୍ବର ୨୦୧୪ ପୂର୍ବରୁ ଭାରତ ଆସି ଯାଇଛନ୍ତି ସେମାନଙ୍କୁ ଏହି ଆଇନ ଅନୁସାରେ ନାଗରିକତା ପ୍ରଦାନ କରାଯିବ ବୋଲି ସେ ସୂଚନା ଦେଇଛନ୍ତି ।






