ନୟାଗଡ଼,(ବାଘୁଆବାର୍ତ୍ତା): ନୟାଗଡ଼ ନିର୍ବାଚନ ମଣ୍ଡଳୀର ଓଡ଼ଗାଁ ଓ ନୟାଗଡ଼ଠାରେ ଆଜି ବିଜୁ ଜୟନ୍ତୀ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ନୟାଗଡ଼ ବିଧାୟକ ତଥା ମନ୍ତ୍ରୀ ଡ. ଅରୁଣ କୁମାର ସାହୁ ଉପସ୍ଥିତ ରହି କର୍ମୀ ଓ ନେତାମାନଙ୍କୁ ଉଦ୍ବୋଧନ ଦେବା ସହ ମାର୍ଚ୍ଚ ୫ ତାରିଖ ବିଜୁ ଜୟନ୍ତିରୁ ୧୫ ଦିନ ବ୍ୟାପି ବିଭିନ୍ନ କାର୍ଯ୍ୟକ୍ରମ କରାଯିବା ନେଇ ଆଲୋଚନା କରିଛନ୍ତି । ମାର୍ଚ୍ଚ ୫ ତାରିଖ ଦିନ ନୟାଗଡ଼ ମୁଖ୍ୟ ଚିକିତ୍ସାଳୟ ମଧ୍ୟରେ ଛାତ୍ର ଓ ଯୁବକ ମାନଙ୍କୁ ନେଇ ଜୀବନ ବିନ୍ଦୁ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ସେହପରି ଭାବେ ଓଡ଼ଗାଁରେ ମଧ୍ୟ ଛାତ୍ର ଓ ଯୁବ ବିଜେଡି ପକ୍ଷରୁ ରକ୍ତଦାନ ଶିବିର ଅନୁଷ୍ଠିତ ହେବ । ମାର୍ଚ୍ଚ ୮ ତାରିଖରେ ନୟାଗଡ଼ ବସଷ୍ଟାଣ୍ଡଠାରେ ବିରାଟ ସାଧାରଣ ସଭା ଅନୁଷ୍ଠିତ ହେବ ବୋଲି ନିଷ୍ପତ୍ତି ନିଆଯାଇଛି । ସେହିପରି ଭାବେ ମାର୍ଚ୍ଚ ୧୫ ତାରିଖରେ ନୟାଗଡ଼ ଖେଳ ପଡ଼ିଆଠାରେ ବିରାଟ ମହିଳା ସମାବେଶର ଆୟୋଜନ କରାଯିବ । ଏହା ବାଦ ପ୍ରତ୍ୟେକ ଦିନ ବିଭିନ୍ନ କାର୍ଯ୍ୟକ୍ରମ କରାଯିବା ନେଇ ନିଷ୍ପତ୍ତି ନିଆଯାଇଛି ।







