ନୟାଗଡ଼, (ବାଘୁଆବାର୍ତ୍ତା): ନୟାଗଡ଼ ଡିଆରଡିଏ ସୃଜନ ଗୃହରେ ଅନୁଷ୍ଠିତ ଭିନ୍ନକ୍ଷମମାନଙ୍କ ଅଧିକାର ଅଧିନିୟମ ଓ ବିଭିନ୍ନ ଯୋଜନା ସମ୍ବଦ୍ଧରେ ସମୀକ୍ଷା ଓ ସଚେତନା କର୍ମଶାଳାରେ ଆୟୁକ୍ତ ସୁଲୋଚନା ଦାଶ, ନୟାଗଡ଼ ଜିଲ୍ଲାପାଳ ଡ. ପୋମା ଟୁଡୁ, ରାଜ୍ୟ ଭିନ୍ନକ୍ଷମ ଉପଦେଷ୍ଟା ପି.ଆର ଦାଶ, ଭିନ୍ନକ୍ଷମ ରେଜିଷ୍ଟାର ଆର. ମେହେର, ପ୍ରକଳ୍ପ ନିର୍ଦ୍ଦେଶକ ସୁବାଷ ଚନ୍ଦ୍ର ରାୟ, ଉପଜିଲ୍ଲାପାଳ ଲଗ୍ନଜିତ ରାଉତ, ଆରକ୍ଷୀ ଅଧିକ୍ଷକ ଦିଲ୍ଲୀପ ସାହାଣୀ, ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ଶ୍ୱେତ କୁମାର ମହାପାତ୍ର, ସାମାଜିକ ସୁରକ୍ଷା ଅଧିକାରୀ ପ୍ରଭାତ ସାହୁ ପ୍ରମୂଖ ଯୋଗ ଦେଇଥିଲେ । ରାଜ୍ୟ ଭିନ୍ନକ୍ଷମ ଆୟୁକ୍ତଙ୍କ ଦ୍ୱାରା ଆୟୋଜିତ ଉକ୍ତ ସଚେତନତା କର୍ମଶାଳାକୁ ନୟାଗଡ଼ ଜିଲ୍ଲା ପ୍ରଶାସନ ପକ୍ଷରୁ ସହଯୋଗ କରାଯାଇଥିଲା । ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଏହି କର୍ମଶାଳାର ପ୍ରାରମ୍ଭିକ ସୂଚନା ଦେବା ସହ ଏହାର ଉଦ୍ଦେଶ୍ୟ ଉପରେ ବକ୍ତବ୍ୟ ପ୍ରଦାନ କରିଥିଲେ । ଜିଲ୍ଲାପାଳ ଡ. ପୋମା ଟୁଡୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଆୟୁକ୍ତ ତାଙ୍କ ଅଭିଭାଷଣରେ ନୂତନ ଭିନ୍ନକ୍ଷମ ଅଧିକାର ଅଧିନିୟମ ୨୦୧୬ ସମସ୍ତ ଧାରା ଉପରେ ବିବରଣୀ ପ୍ରଦାନ କରିଥିଲେ । ଜିଲ୍ଲାପାଳ ତାଙ୍କ ଅଭିଭାଷଣରେ ଭେଦଭାବ ଦୂରି କରଣ ଏବଂ ଭିନ୍ନକ୍ଷମମାନେ ସମାଜର ମୁଖ୍ୟ ସ୍ରୋତରେ କିପରି ସାମିଲ ହୋଇପାରିବେ ତାହା ଉପରେ ଗୁରୁତ୍ୱାରୋପ କରିଥିଲେ । ଏଥିସହିତ ରାଜ୍ୟ ସରକାର ଭିନ୍ନକ୍ଷମମାନଙ୍କ ପାଇଁ ଯେଉଁ ସବୁ ଯୋଜନା ପ୍ରସ୍ତୁତ କରିଛନ୍ତି, ଜନସାଧାରଣଙ୍କ ନିକଟରେ ଏହା କିପରି ଭାବରେ ପହଂଚି ପାରିବ ତାହା ଉପରେ ଟିପ୍ପଣୀ ପ୍ରଦାନ କରିଥିଲେ । ଭିନ୍ନକ୍ଷମମାନଙ୍କ ସମାନତା ଅଧିକାର ଉପରେ ବୈଠକରେ ଗୁରୁତ୍ୱାରୋପ କରାଯାଇଥିଲା । ଏହି ଅବସରରେ ଦୁଇ ଭିନ୍ନକ୍ଷମ ଦମ୍ପତ୍ତିଙ୍କୁ ଭିନ୍ନକ୍ଷମ ବିବାହ ପ୍ରୋତ୍ସାହନ ରାଶି ପ୍ରଦାନ କରାଯାଇଥିଲା । ଗଣିଆ ବ୍ଲକ ଅନ୍ତର୍ଗତ ଜଗନ୍ନାଥ ପ୍ରସାଦ ଗ୍ରାମର ସୁଶାନ୍ତ କୁମାର ବେହେରା ଏବଂ ତାଙ୍କ ପôତୀ ସଶ୍ମିତା ସାହୁ, ତତ୍ସହିତ ରଣପୁର ବ୍ଲକ ପଟିଆ ଅର୍ଜ୍ଜୁନପୁରର ସତ୍ୟବାନ ପରିଡ଼ା ଓ ତାଙ୍କ ପôତୀ ପୁଷ୍ପା ପରିଡ଼ାଙ୍କୁ ବିବାହ ଓ ପ୍ରୋତ୍ସାହନ ରାଶି ସହ ସମ୍ବର୍ଦ୍ଧିତ କରାଯାଇଥିଲା । ଅନ୍ୟ ଏକ ପକ୍ଷରେ ବିଭିନ୍ନ ସମୟରେ ଭିନ୍ନକ୍ଷମମାନଙ୍କ ପାଇଁ ହୋଇଥିବା ୮ ଗୋଟି ମକୋଦ୍ଦମାର ଶୁଣାଣି ଓ ବିଚାର କରାଯାଇଥିଲା । ରାଜ୍ୟ ଭିନ୍ନକ୍ଷମ ଆୟୁକ୍ତ ନୟାଗଡ଼ ନିକଟସ୍ଥ କଇଥଗାଡ଼ିଆରେ ଥିବା ଜନ୍ ମିଲଟନ୍ ଦୃଷ୍ଟିହୀନ ବିଦ୍ୟାଳୟ, ଶ୍ରବଣ ଓ ବାକ୍ ବାଧିତ ବିଦ୍ୟାଳୟ ଏବଂ ଜିତେନ୍ଦ୍ର ଫାଉଣ୍ଡେସନ୍ ମାନସିକ ଅନଗ୍ରସର ସ୍ୱତନ୍ତ୍ର ବିଦ୍ୟାଳୟକୁ ପରିଦର୍ଶନ କରିଥିଲେ । ସେମାନଙ୍କ ସହିତ ବିଭିନ୍ନ ସମସ୍ୟା ସଂମ୍ପର୍କରେ ଆଲୋଚନା କରିଥିଲେ ।






