ନୟାଗଡ଼ ଜିଲ୍ଲା ବରିଷ୍ଠ ନାଗରିକ ମଂଚ
ନୟାଗଡ଼,(ବାଘୁଆବାର୍ତ୍ତା): ନୟାଗଡ଼ ଜିଲ୍ଲା ବରିଷ୍ଠ ନାଗରିକ ମଂଚ ଉଦଘାଟିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ତଥା ଉଦଘାଟକ ଭାବେ ରାଜ୍ୟ ସରକାରଙ୍କ କୃଷି ଓ କୃଷକ ସଶକ୍ତି କରଣ, ମତ୍ସ ଓ ପ୍ରାଣୀ ସଂପଦ ଏବଂ ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ଅରୁଣ କୁମାର ସାହୁ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ନୟାଗଡ଼ ଜିଲ୍ଲାପାଳ ଡ. ପୋମା ଟୁଡୁ, ଉପ ଜିଲ୍ଲାପାଳ ଲଗ୍ନଜିତ ରାଉତ, ଆରକ୍ଷୀ ଅଧିକ୍ଷକ ଦିଲ୍ଲୀପ ଶାହାଣୀ, ପୈାର ନିର୍ବାହୀ ଅଧିକାରୀ ସନ୍ତୋଷ କୁମାର ଜେନା ପ୍ରମୂଖ ଯୋଗ ଦେଇଥିଲେ । ଜିଲ୍ଲା ବରିଷ୍ଠ ନାଗରିକ ମଂଚର କାର୍ଯ୍ୟନିର୍ବାହୀ ସଭାପତି ପ୍ରମୋଦ ପଟ୍ଟନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସଂପାଦକ ଦୁର୍ଯ୍ୟୋଧନ ସାହୁ ସଂପାଦକୀୟ ବିବରଣୀ ପାଠ କରିଥିଲେ ।

ବରିଷ୍ଠ ନାଗରିକଙ୍କ ଅଭିଜ୍ଞତା ସମାଜ ପାଇଁ ନିହାତି ଆବଶ୍ୟକ ବୋଲି ଉପଜିଲ୍ଲାପାଳ ଶ୍ରୀଯୁକ୍ତ ରାଉତ ଏହି କାର୍ଯ୍ୟକ୍ରମରେ କହିଛନ୍ତି । ପୁଲିସ ବିଭାଗ ବରିଷ୍ଠ ନାଗରିକଙ୍କ ସୁରକ୍ଷା ପାଇଁ ତତ୍ପର ଅଟେ ବୋଲି ଆରକ୍ଷୀ ଅଧିକ୍ଷକ କହିବା ସହ ବିଭିନ୍ନ ଥାନରେ ବରିଷ୍ଠ ନାଗରିକଙ୍କ ପାଇଁ ସ୍ୱତନ୍ତ୍ର ଡେସ୍କ ରହିଥିବା କହିଥିଲେ । ଜିଲ୍ଲାପାଳ ବରିଷ୍ଠ ନାଗରିକଙ୍କ ସେହ୍ନ ଓ ଶ୍ରଦ୍ଧାକୁ ପାଥେୟ କରି ସମାଜ ଉନ୍ନତୀ ପଥରେ ଆଗଉଛି ବୋଲି କହିଥିଲେ । ମୁଖ୍ୟ ଅତିଥି ଡ. ସାହୁ ବରିଷ୍ଠ ନାଗରିକଙ୍କ ଉଦ୍ଦେଶ୍ୟରେ, ଆପଣଙ୍କ ମୁହଁରେ ହସ ମୋ ଖୁସି ବୋଲି ଅଭିବକ୍ତ୍ୟ କରିଥିଲେ । ମୋ ବାପା ମୋତେ ଜନ୍ମ ଦେଇଥିଲେ ମଧ୍ୟ ନୟାଗଡ଼ ନିର୍ବାଚନ ମଣ୍ଡଳୀର ସମସ୍ତ ଗୁରୁଜନମାନେ ମୋତେ ଚାରି ଥର ବିଧାୟକ ଭାବେ ନିର୍ବାଚିତ କରି ମୋତେ ବାରମ୍ବାର ଜନ୍ମ ହେବାର ସୁଯୋଗ ଦେଇଛନ୍ତି । ତେଣୁ େମୋନଙ୍କ ହସ ମୋ ଖୁସି ବୋଲି ମନ୍ତ୍ରୀ କହିଥିଲେ । ଏଥିସହିତ ଶାନ୍ତି ପ୍ରତିଷ୍ଠା ଓ ପରିବେଶ ସଜାଡ଼ିବାରେ ବରିଷ୍ଠମାନେ ମୁଖ୍ୟ ଭୂମିକା ଗ୍ରହଣ କରିବାକୁ ଆହ୍ୱାନ ଦେବା ସହ ସଂଗଠନ ତଥା ମଂଚ ମାଧ୍ୟମରେ କିଛି ସ୍ୱତନ୍ତ୍ର କାର୍ଯ୍ୟକ୍ରମ ହାତକୁ ନିଅନ୍ତୁ ବୋଲି କହିଥିଲେ । ଏଥି ସହିତ ବରିଷ୍ଠ ନାଗରିକଙ୍କ ନିୟମିତ ସ୍ୱାସ୍ଥ୍ୟ ପରୀକ୍ଷା ପାଇଁ କିଛି ସ୍ୱତନ୍ତ୍ର ବ୍ୟବସ୍ଥା କରାଯିବ ବୋଲି ମନ୍ତ୍ରୀ ଡ. ସାହୁ ତାଙ୍କ ବକ୍ତବ୍ୟରେ କହିଛନ୍ତି ।






